Latest Odisha News

ବାଂଲାଦେଶ ନୌକା ଓଲଟିବା ଘଟଣା: ମୃତ୍ୟୁ ସଂଖ୍ୟା ୫୧କୁ ବୃଦ୍ଧି, ୩୪ ନିଖୋଜ

ଢାକା: ବାଂଲାଦେଶ ରାଜଧାନୀ ଢାକାରୁ ୪୬୮ କିଲୋମିଟର ଦୂର କରାତୋୟା ନଦୀରେ ରବିବାର ନୌକା ଓଲଟିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ହୋଇଥିବା ଏହି ନୌକା ଦୁର୍ଘଟଣାରେ ରବିବାର ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ଆହୁରୀ ୨୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ଏବେ ୫୧କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ମହିଳା ୨୫, ଶିଶୁ ୧୩ ଓ ୧୨ ଜଣ ପୁରୁଷ ଥିବା ପଞ୍ଚଗଡ ବୋଡା ପୋଲିସର ଜନୈକ ଅଧିକାରୀ ସୁଜୟ କୁମାର ରାୟ କହିଛନ୍ତି। ଏହି ନୌକାରେ ପ୍ରାୟ ୧୫୦ଜଣ ଯାତ୍ରୀ ଥିଲେ। ମହାଳୟା ଉପଲକ୍ଷେ ଲୋକେ ବୋଦେଶରୀ ମନ୍ଦିର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସୁଜୟ କୁମାର କହିଛନ୍ତି, ଦିନାଜପୁରର ଏକ ନଦୀରେ କିଛି ମୃତଦେହ ମିଳିଥିଲା। ନଦୀର ପ୍ରବଳ ସ୍ରୋତ ଯୋଗୁଁ ନିକଟରେ ଥିବା ଅନ୍ୟ ଉପନଦୀରେ ଆହୁରୀ ମୃତଦେହ ଥିବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପଞ୍ଚଗଡର ଅତିରିକ୍ତ ଡେପୁଟି କମିଶନର ଦୀପଙ୍କର ରୟ କହିଛନ୍ତି ଯେ ଉଦ୍ଧାର ହୋଇଥିବା ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ସୁଜୟ କୁମାର ରାୟ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ତଦନ୍ତ କମିଟିର ନେତୃତ୍ୱ ନେଉଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଯାତ୍ରୀଙ୍କ ସମ୍ପର୍କୀୟଙ୍କ ପକ୍ଷରୁ କୁହାଯାଉଛି ଯେ ପ୍ରାୟ ୫୮ ଜଣ ଯାତ୍ରୀ ନିଖୋଜ ଅଛନ୍ତି।

ସେପଟେ ପ୍ରଶାନସ ପକ୍ଷରୁ କୁହାଯାଉଛି ଯେ ଅତିକମରେ ୩୪ ଜଣ ଲୋକ ନିଖୋଜ ଅଛନ୍ତି । ଉପ-ଜିଲ୍ଲା ପ୍ରଶାସନିକ ମୁଖ୍ୟ ସୋଲେମାନ ଅଲି କହିଛନ୍ତି ଯେ ନାବିକ କିଛି ଲୋକଙ୍କୁ ନୌକାରୁ ଓହ୍ଲାଇବାକୁ କହିଥିଲେ, କିନ୍ତୁ ଲୋକେ ତାଙ୍କ କଥା ଶୁଣି ନଥିଲେ। ଫଳରେ ନୌକା ଭାରସାମ୍ୟ ହରାଇ ଓଲଟିପଡିଥିଲା। ବାଂଲାଦେଶରେ ନୌକା ଦୁର୍ଘଟଣା ନୂଆ କଥା ନୁହେଁ। ପାରମ୍ପରିକ ନୌକାରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଲାଗି ଅନେକ ସମୟରେ ନୌକା ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନୀ ହୁଏ।

Leave A Reply

Your email address will not be published.