Latest Odisha News

ତାତିଲେ ହିନ୍ଦୁ, ଚେତିଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶରେ ପରିବର୍ତ୍ତିତ ପରିସ୍ଥିତିରେ ସଂଖ୍ୟାଲଘୁ ହିନ୍ଦୁ ଓ ମନ୍ଦିର ଉପରେ ଆକ୍ରମଣ ହେଉଛି । ଅଗଷ୍ଟ ୫ ତାରିଖରୁ ବାଂଲାଦେଶୀ ହିନ୍ଦୁ ସଂପ୍ରଦାୟ ଉପରେ ଲଗାତର ଆକ୍ରମଣ କରୁଛନ୍ତି ଆନ୍ଦୋଳନକାରୀ । ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି । ହିଂସା ବଢିଚାଲିଥିବା ବେଳେ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ବାଂଲାଦେଶୀ ହିନ୍ଦୁ । ରାଜଧାନୀ ଢାକା, ବନ୍ଦର ସହର ଚଟ୍ଟଗାଓଁ ସମେତ ବିଭିନ୍ନ ସହରରେ ହିନ୍ଦୁ ବିରୋଧୀ ହିଂସା ପ୍ରତିବାଦରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଆକ୍ରମଣକୁ କଡା ନିନ୍ଦା କରାଯାଇଛି । ଚଟ୍ଟଗାଓଁର ମୁଖ୍ୟ ଛକରେ ହିନ୍ଦୁଙ୍କ ପ୍ରତିବାଦ ରାଲିରେ ୭ ଲକ୍ଷ ଲୋକ ଯୋଗ ଦେଇଥିଲେ । ଦେଶବ୍ୟାପୀ ହିନ୍ଦୁଙ୍କ ବିଶାଳ ବିକ୍ଷୋଭ ଓ ପ୍ରତିବାଦରେ ଅନ୍ତରୀଣ ସରକାରର ମୁଖିଆ ମହମ୍ମଦ ୟୁନୁସଙ୍କ ଆଖି ଖୋଲିଛି । ହିନ୍ଦୁଙ୍କ ବିରୋଧରେ ହିଂସା ବନ୍ଦ କରିବାକୁ ଅପିଲ କରିଛନ୍ତି ଭାରତ ବିରୋଧୀ ଭାବେ ଜଣାଶୁଣା ୟୁନୁସ ।

ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଭାବେ ଶେଖ୍ ହସିନାଙ୍କ ଇସ୍ତଫା ଓ ପଳାୟନ ପରଠାରୁ ଦେଶର ୫୨ଟି ଜିଲ୍ଲାରେ ହିନ୍ଦୁଙ୍କୁ ଟାର୍ଗେଟ କରି ହୋଇଛି ୨୦୫ଟି ଆକ୍ରମଣ । ହିନ୍ଦୁ ନେତାଙ୍କୁ ହତ୍ୟା, ହିନ୍ଦୁଙ୍କ ସଂପତ୍ତି ନଷ୍ଟ ପରି ଘଟଣା ଘଟିଛି । ହସିନାଙ୍କ ଆୱାମୀ ଲିଗର ହିନ୍ଦୁ ନେତାଙ୍କ ଉପରେ ଆକ୍ରମଣ ହୋଇଛି । ଦୁଇ ହିନ୍ଦୁ ନେତା ପ୍ରାଣ ହରାଇଛନ୍ତି । ହିନ୍ଦୁଙ୍କ ହୋଟେଲ ଓ ରେଷ୍ଟୁରାଂଟ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଆତଙ୍କିତ ଅବସ୍ଥାରେ ରହିଛନ୍ତି ହିନ୍ଦୁ ଲୋକେ । ଆକ୍ରମଣରୁ ବର୍ତ୍ତିବା ପାଇଁ ଶହ ଶହ ହିନ୍ଦୁ ବାଂଲାଦେଶୀ ସୀମା ପାର କରି ଭାରତ ଆସିବାକୁ ଉଦ୍ୟମ କରୁଛନ୍ତି ।

ଏବେ ହିନ୍ଦୁମାନେ ରାସ୍ତାକୁ ଓହ୍ଲାଇବା ପରେ ଅନ୍ତରୀଣ ସରକାର ଜାତୀୟ ଏକତାର କଥା କହୁଛନ୍ତି । ହିନ୍ଦୁମାନେ ବି ବାଂଲାଦେଶର ନାଗରିକ ବୋଲି ଅନ୍ତରୀଣ ସରକାର ମୁଖିଆ ମହମ୍ମଦ ୟୁନୁସ କହିବା ସହ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣରୁ ବିରତ ରହିବା ପାଇଁ ଅନୁରୋଧ କରିଛନ୍ତି ।

ହିନ୍ଦୁ ବିକ୍ଷୋଭକାରୀମାନେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନୂଆ ଅନ୍ତରୀଣ ସରକାରଙ୍କଠାରେ ଆଉ କିଛି ଦାବି ମଧ୍ୟ ରଖିଛନ୍ତି ହିନ୍ଦୁ ସଂପ୍ରଦାୟ । ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଏକ ସ୍ପେଶାଲ ଟ୍ରିବ୍ୟୁନାଲ ଗଠନ କରି ବିଚାର ପାଇଁ ଦାବି ହୋଇଛି । ଏକ ସଂଖ୍ୟାଲଘୁ ସୁରକ୍ଷା ଆଇନ ପ୍ରଣୟନ ସହ ସଂସଦରେ ସଂଖ୍ୟାଲଘୁଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ଦାବି କରଛନ୍ତି ବାଂଲାଦେଶର ହିନ୍ଦୁ ସଂପ୍ରଦାୟ । ହିନ୍ଦୁଙ୍କ ବିକ୍ଷୋଭ ପ୍ରଦର୍ଶନରେ କିଛି ଉଦାରବାଦୀ ବାଂଲାଦେଶୀ ସାମିଲ ହୋଇଛନ୍ତି ।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ପଛରେ କିଛି ମୌଳବାଦୀ ସଂଗଠନ ଓ ଇସଲାମିକ ପାର୍ଟି ଜମାତ-ଇ-ଇସଲାମୀର ହାତ ଥିବା ଅଭିଯୋଗ ହୋଇଛି । ଭାରତ ବିରୋଧୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି- ବିଏନପିର ମଧ୍ୟ ହିନ୍ଦୁ ବିରୋଧୀ ହିଂସାକୁ ଉସୁକାଇଥିବା କୁହାଯାଉଛି ।

ଏଣେ ବାଂଲାଦେଶ ପରିସ୍ଥିତି ଉପରେ ଲଗାତର ନଜର ରଖିଛନ୍ତି ଭାରତ ସରକାର । ବାଂଲାଦେଶ ଅନ୍ତରୀଣ ସରକାରଙ୍କ ସହ ଯୋଗାଯୋଗ ରଖାଯାଇଛି । ହିନ୍ଦୁଙ୍କ ପୂର୍ଣ୍ଣ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଭାରତ ସରକାର ।

ବାଂଲାଦେଶ ଜନସଂଖ୍ୟାର ମୋଟ ୭ ଦଶମିକ ୯୭ ପ୍ରତିଶତ ହେଉଛନ୍ତି ହିନ୍ଦୁ । ଢାକାର ଗୋପାଲଗଞ୍ଜ, ଖୁଲନା ଜିଲ୍ଲା ଓ ଠାକୁରଗାଁ ଜିଲ୍ଲା, ସିଆଲହାଟର ମୌଲବୀ ବାଜାରରେ ଅଧିକ ସଂଖ୍ୟକ ହିନ୍ଦୁ ବସବାସ କରନ୍ତି ।

 

Comments are closed.