Latest Odisha News

ଆଜିଠୁ ବାଂଲାରେ ନୂଆ ସରକାର, ସରକାରରେ ରହିବେ ୧୫ ସଦସ୍ୟ

ଢାକା: ବାଂଲାଦେଶରେ ଆଜି ଅନ୍ତରୀଣ ସରକାର ଗଠନ ହେବ। ରାତି ସାଢେ ୮ଟାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସେନା ମୁଖ୍ୟ ୱକାର-ଉଜ୍-ଜମାନ ଗତକାଲି ଏନେଇ ସୂଚନା ଦେଇଛନ୍ତି। ୧୫ ଜଣ ସଦସ୍ୟଙ୍କୁ ନେଇ ନୂଆ ସରକାର କାମ କରିବ।

ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ୭୬ ବର୍ଷୀୟା ଶେଖ୍ ହସିନା ଦେଶ ଛାଡି ପଳାୟନ କରିଛନ୍ତି। ଏହାପରେ ଦେଶର ସେନା ଅସ୍ଥାୟୀ ଭାବେ କ୍ଷମତା ହାତକୁ ନେଇଥିଲେ। ଏବେ ଦେଶରେ ଅନ୍ତରୀଣ ସରକାର ଶପଥ ନେବାକୁ ଯାଉଛି। ଏହି ସରକାରରେ ମୁଖ୍ୟ ଉପଦେଷ୍ଟା ଭୂମିକା ନିର୍ବାହ କରିବେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ସେ ଗୁରୁବାର ପ୍ୟାରିସରୁ ସ୍ୱଦେଶ ଫେରିବେ।

ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ଅର୍ଥନୀତିଜ୍ଞ ୟୁନୁସ (୮୪) କୁ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ତେବେ ଚାକିରିରେ ସଂରକ୍ଷଣକୁ ନେଇ ଜାରି ରହିଥିବା ହିଂସା ମଧ୍ଯରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ ହସିନା। ପରବର୍ତ୍ତୀ ସମୟରେ ଦେଶ ଛାଡି ପଳାୟନ କରିଥିଲେ।

Comments are closed.