Latest Odisha News

ଜଳୁଛି ବାଂଲାଦେଶ; ୧୦୫ ଜଣଙ୍କ ମୃତ୍ୟୁ, କର୍ଫ୍ୟୁ ଜାରି କଲେ ସରକାର

ଢାକା : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି। ଜୁଲାଇ ୧ରୁ ଚାଲିଥିବା ଏହି ବିକ୍ଷୋଭ ଥମିବାର ନାଁ ନେଉନି। ଗତ ୧୫ ଦିନ ଭିତରେ ୧୦୫ ଜଣଙ୍କ ମୃତ୍ୟୁ ଓ ୨୫ଶହରୁ ଅଧିକ ଆହତ ହୋଇଛନ୍ତି ।

ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନା ଟିଭିରେ ଦେଶକୁ ସମ୍ବୋଧିତ କରିଥିଲେ ମଧ୍ଯ ଏହାର ପ୍ରଭାବ ଆନ୍ଦୋଳନକାରୀଙ୍କ ଉପରେ ପଡ଼ିନାହିଁ। ଓଲଟା ବିକ୍ଷୋଭକାରୀ ଟେଲିଭିଜନ ଅଫିସ ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ। ସେ ସମୟରେ ପ୍ରାୟ ୧୨୦୦ କର୍ମଚାରୀ ଉପସ୍ଥିତ ଥିଲା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ବାଂଲାଦେଶର ବିଭିନ୍ନ ସହରରେ ସ୍ଥିତି ବେକାବୁ ହୋଇଛି। ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ ଲାଗୁ ସହ ସେନା ମୁତୟନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ହିଂସାଯୋଗୁ ଦେଶବ୍ୟାପୀ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ମୋବାଇଲ୍ ସେବା ବନ୍ଦ ରହିଛି।

ରିପୋର୍ଟ ଅନୁସାରେ ସେଠାରେ ଫସିଥିବା ୪ଶହରୁ ଅଧିକ ଭାରତୀୟ, ନେପାଳୀ ଏବଂ ଭୁଟାନ ବାସୀ ମେଘାଳୟରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି ।

କାହିଁକି ହେଉଛି ବିରୋଧ?

ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ୧୯୭୧ ମସିହାରେ ଯେଉଁମାନେ ପାକିସ୍ତାନରୁ ସ୍ୱାଧୀନତା ପାଇଁ ଲଢିଥିଲେ ସେମାନଙ୍କୁ ମୁକ୍ତି ଯୋଦ୍ଧା କୁହାଯାଏ। ସରକାର ଏହି ସଂଗ୍ରାମୀଙ୍କ ସନ୍ତାନଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ସୁବିଧା କଥା ଘୋଷଣା କରିଥିଲେ । ଯାହାକୁ ନେଇ ସେଠାରେ ବିରୋଧ କରାଯାଉଛି ।

ବାଂଲାଦେଶରେ ସରକାରୀ ଚାକିରିରେ ୫୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ବାକି ୪୪ ପ୍ରତିଶତ ଚାକିରି ମେରିଟ୍ ଆଧାରରେ ମିଳିଥାଏ । ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ପାଇଁ କୌଣସି ପୃଥକ ସଂରକ୍ଷଣ ବ୍ୟବସ୍ଥା ନାହିଁ।

 

 

Comments are closed.