Latest Odisha News

ବାଂଲାଦେଶ ହିଂସା…ଭାରତରେ ପ୍ରଭାବ

ନୂଆଦିଲ୍ଲୀ: ବାଂଲାଦେଶରେ ହସିନା ସରକାର ବିରୋଧରେ ଅଣାୟତ୍ତ ହିଂସା । ପ୍ରଧାନମନ୍ତ୍ରୀ ଶେଖ ହାସିନା ନିଜ ପଦ ଛାଡିବା ସହ ଦେଶ ବି ଛାଡିଛନ୍ତି । ବାଂଲାଦେଶକୁ ଏବେ ଅନ୍ତରୀଣ ସରକାର ଚଳାଇବେ ବୋଲି ସେନା ପ୍ରମୁଖ ଓ୍ବକର-ଉଜ-ଜମାନ କହିଛନ୍ତି । ଶେଖ ହସିନା ସରକାରର ପତନ ପରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନପି ତୁରନ୍ତ ସଂସଦକୁ ଭଙ୍ଗ କରିବାକୁ ରାଷ୍ଟ୍ରପତି ଶହବୁଦ୍ଦିନଙ୍କୁ କହିଛନ୍ତି । ସେପଟେ ବାଂଲାଦେଶରେ ଥମୁନି ହିଂସା । ଗତ ୨୪ଘଣ୍ଟାରେ ବିଭିନ୍ନ ହିଂସାକାଣ୍ଡରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଆଓ୍ବାମୀ ଲିଗ ସରକାର ମନ୍ତ୍ରୀ, ସାଂସଦ ଓ ନେତାଙ୍କ ଘର ସମେତ ସରକାରୀ ଅଫିସକୁ ଟାର୍ଗେଟ୍ କରାଯାଉଛି । ବିଭିନ୍ନ ସ୍ଥାନରେ ହିନ୍ଦୁ ମନ୍ଦିର ଉପରେ ବି ଆକ୍ରମଣ ହୋଇଛି । ତେବେ ବାଂଲାଦେଶ ହିଂସାର ପ୍ରଭାବ ଭାରତ ଓ ବାଂଲାଦେଶ ସଂପର୍କ ଉପରେ କିଭଳି ପଡିବ, ଆସନ୍ତୁ ୫ଟି ପଏଣ୍ଟରେ ଜାଣିବା, ବାଂଲାଦେଶ ହିଂସାର ସମ୍ଭାବ୍ୟ ପ୍ରଭାବ ।

୧- ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଓ ବାଂଲାଦେଶରୁ ପଳାୟନ ପରେ ଢାକା -ନୂଆଦିଲ୍ଲୀ ସଂପର୍କର ଭବିଷ୍ୟତ ନେଇ ଦେଖାଦେଇଛି ଅନିଶ୍ଚିତତା । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ଶେଖ୍ ହସିନା ଥିଲେ ଭାରତର ଦୃଢ ସମର୍ଥକ । ଚୀନ୍ ତୁଳନାରେ ଭାରତ ସହ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ଗୁରୁତ୍ୱ ଦେଇଥିଲେ ହସିନା । ହସିନା ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତ-ବାଂଲାଦେଶ ସଂପର୍କ ମଜବୁତ ହେବା ସହ ବାଣିଜ୍ୟିକ ସଂପର୍କ ବୃଦ୍ଧି ପାଇଥିଲା । ଏବେ ହସିନା ସରକାରର ପତନ ପରେ ସୀମା ପାର ବାଣିଜ୍ୟ, ଟ୍ରାନଜିଟ୍ ବ୍ୟବସ୍ଥା, ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗର ଭବିଷ୍ୟତ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା । ବାଂଲାଦେଶରେ ହସିନା ହଟାଅ ଆନ୍ଦୋଳନରେ ଭାରତ ବିରୋଧୀ ଆଭିମୁଖ୍ୟ ମଧ୍ୟ ଦେଖିବାକୁ ମିଳିଛି । ତେଣୁ ବାଂଲାଦେଶରେ ପରିବର୍ତ୍ତିତ ପରିସ୍ଥିତିରେ ଭାରତକୁ ଏକାଧିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିପାରେ ।

୨- ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ସେନା ଏବେ ଦାୟିତ୍ୱରେ ରହିଛି । ଦେଶରେ ଏକ ମଧ୍ୟବର୍ତ୍ତି ସରକାର ଗଠନ କରାଯିବ ବୋଲି ସେନା ମୁଖ୍ୟ କହିଛନ୍ତି । କିନ୍ତୁ ପ୍ରସ୍ତାବିତ ମଧ୍ୟବର୍ତ୍ତୀ ସରକାରର ରୂପରେଖ ସ୍ପଷ୍ଟ ହୋଇନାହିଁ । ନୂଆ ନିର୍ବାଚନ ନେଇ ମଧ୍ୟ କିଛି ଘୋଷଣା ହୋଇନାହିଁ । ଯଦି ସେନା ହାତରେ କ୍ଷମତା ରହେ, ତାହା ହେଲେ ଭାରତ ପ୍ରତି ବିପଦ । ବାଂଲାଦେଶର ଭାରତ ବିରୋଧୀ ଦଳ ଓ ମୌଳବାଦୀମାନେ ନୂଆଦିଲ୍ଲୀ ପାଇଁ ବଡ ଆହ୍ୱାନ ସୃଷ୍ଟି କରିପାରନ୍ତି ।

୩- ଭାରତ ଶେଖ୍ ହସିନା ସରକାରଙ୍କୁ ସମର୍ଥନ କରିଆସୁଥିଲା । ବାଂଲାଦେଶର ବିରୋଧୀ ଦଳ ସହ କୌଣସି ପ୍ରକାର ଆଲୋଚନାରୁ ଦୂରେଇ ରହିଥିଲା ଭାରତ । ଏଥିଯୋଗୁଁ ବାଂଲାଦେଶର ମୁଖ୍ୟ ବିରୋଧୀ ଦଳଗୁଡିକ ଭାରତ ବିରୋଧରେ ଉଗ୍ର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବାଂଲାଦେଶେର ଭାରତ ବିରୋଧୀ ଆଭିମୁଖ୍ୟର ମୁକାବିଲା କରିବା ନୂଆଦିଲ୍ଲୀ ପାଇଁ ନିଶ୍ଚିତ ଭାବେ କାଠିକର ପାଠ ବୋଲି କିଛି ବୈଦେଶିକ ବ୍ୟାପାର ବିଶେଷଜ୍ଞ ମତ ଦେଇଛନ୍ତି ।

୪- ବାଂଲାଦେଶରେ ଯଦି ମଧ୍ୟବର୍ତ୍ତୀ ସରକାର ଗଠନ ହୁଏ, ତାହା ହେଲେ ମୌଳବାଦୀ ଇସଲାମିକ ପାର୍ଟି ଜମାତ-ଇ-ଇସଲାମୀର ପ୍ରଭାବ ବଢିବ ବୋଲି କୁହାଯାଉଛି ଯାହା କି ଭାରତ ପାଇଁ ଭଲ ଖବର ନୁହେଁ । ଜମାତ-ଇ-ଇସଲାମୀ ସହ ଭାରତର ସମୀକରଣ ଆଦୌ ଭଲ ନୁହେଁ । ବିନଏପି –ଜମାତର ମିଳିତ ସରକାର ଥିବା ବେଳେ ଭାରତ-ବାଂଲାଦେଶ ସଂପର୍କ ଖରାପ ହୋଇଥିଲା । ଜମାତ ମଧ୍ୟ ପାକିସ୍ତାନ ସମର୍ଥକ । ବର୍ତ୍ତମାନ ଯଦି ଜମାତ୍ ବାଂଲାଦେଶରେ ପ୍ରଭାବ ବଢାଏ, ତାହା ହେଲେ ଦେଶର ପୂର୍ବ ସୀମାରେ ଭାରତ ପାଇଁ ସୁରକ୍ଷା ଚ୍ୟାଲେଂଜ ସୃଷ୍ଟି ହେବ ।

୫- ଶେଖ ହସିନା ସରକାରର ପତନ ପରେ ଚୀନ୍ ବାଂଲାଦେଶ ବ୍ୟାପାରରେ ଅଧିକ ମୁଣ୍ଡ ପୁରାଇବା ସମ୍ଭାବନା ରହିଛି । ବାଂଲାଦେଶରେ ଯଦି ଚୀନର ଉପସ୍ଥିତି ବଢେ, ତାହା ହେଲେ ଭାରତ ପାଇଁ ବିପଦ । ସବୁଆଡୁ ଭାରତ ପ୍ରତିକୂଳ ପରିସ୍ଥିତିର ସାମନା କରିବ । ପଶ୍ଚିମରେ ତାଲିବାନ ଶାସିତ ଆଫଗାନିସ୍ତାନ ଓ ପାକିସ୍ତାନ, ଉତ୍ତର ପୂର୍ବରେ ଚୀନ୍ ଉତ୍ତରରେ ଚୀନ୍ ଆଡକୁ ଢଳିଥିବା ନେପାଳ ଭାରତ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛନ୍ତି । ଏବେ ଯଦି ବାଂଲାଦେଶ ଚୀନର କାଠ କଣ୍ଢେଇ ସାଜେ, ତାହା ହେଲେ ଭାରତ ଚାରିଦିଗରୁ ସୁରକ୍ଷା ସଂକଟର ସମ୍ମୁଖୀନ ହେବ ।

Comments are closed.