Latest Odisha News

ଓଡିଆ ଘରର ଅନନ୍ୟ ପରମ୍ପରା ‘ଦାଣ୍ଡ ପହଁରା ଓଷା’

ଭୁବନେଶ୍ୱର: ଓଡ଼ିଆ ଆଉ ଓଡ଼ିଆ ଘରର ପରମ୍ପରା ଦେଶ ବିଦେଶ ସବୁଠି ପରିଚିତ l ବାର ମାସରେ ତେର ପର୍ବ ପାଳନ କରୁଥିବା ଓଡ଼ିଆଙ୍କର ଏହି ପର୍ବମାନ କାହିଁ କେତେ କାଳରୁ ଚାଲି ଆସୁଛି l ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ, ଓଷାବ୍ରତ ଆଦି ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ଏହି ଓଷା ବାଟ ବା ଦାଣ୍ଡରେ ପାଳିତ ହେଉଥିବାରୁ, ଏପରି ନାମକରଣ ହୋଇଛି। ବାଟ ଓଷା ବା ଦାଣ୍ଡ ପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ ।

ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନଙ୍କର ଦୀର୍ଘ ଆୟୁ ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ, ନୂଆ ଧାନ କୁଟି ମଣ୍ଡାପିଠା, ମୁଢ଼ି, ଖଇ, ମୁଆଁ, ଚୁଡ଼ା, କଦଳୀ, ମୂଳା, ଆଖୁ, କରମଙ୍ଗା, କନ୍ଦମୂଳ, ତୁଷ ଓ କୁଣ୍ଡା ଆଦି ନୈବେଦ୍ୟ କରାଯାଏ । ଗାଁ ଦାଣ୍ଡ ବା ବନସ୍ତରେ ଗାତ ଖୋଳାଯାଇ, ଗୋଟିଏ ପାତ୍ରରେ ସିନ୍ଦୂରରେ ଯମଙ୍କ ପ୍ରତିମା ସ୍ଥାପନ ପୂର୍ବକ ମାତାମାନେ ଚାରିପଟେ ଚାଙ୍ଗୁଡ଼ା ଧରି, ବଜ୍ରମୂଳି ଉପରେ ରଖି କପଡ଼ା ଢାଙ୍କି ବସନ୍ତି ଏବଂ ଯମ ଦେବତାଙ୍କୁ ଷୋଡ଼ଶୋପଚାରରେ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରନ୍ତି । ତାହା ପରେ ମାତାମାନେ ନିଜ ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ଯମଙ୍କୁ ସ୍ମରଣ କରିଥାନ୍ତି ।

କୋଶଳ ଦେଶର ରାଜା ସୁଦର୍ଶନ ଓ ରାଣୀ ଲୀଳାବତୀ, ଦୁହେଁ ପରୋପକାରୀ ଓ ପ୍ରଜାବତ୍ସଳ ହୋଇଥିଲେ ମଧ୍ୟ ପୁତ୍ରସନ୍ତାନ ନଥିବାରୁ ମନସ୍ତାପ କରିଥିଲେ । ବିଜ୍ଞ ବ୍ରାହ୍ମଣ, ଜ୍ୟୋତିଷ ଦାଣ୍ଡ ପହଁରା ବା ବାଟ ଓଷା କରିବାଦ୍ୱାରା ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ । ଓଷା କରିଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ଗର୍ଭବତୀ ହେବା ସହ ଉତ୍ତମ ପୁତ୍ରପ୍ରାପ୍ତ କରିଥିଲେ , ଯାହାର ନାମ ବୀରସେନ । କିନ୍ତୁ ପୁତ୍ରପ୍ରାପ୍ତି ପରେ, ରାଣୀ ଆଉ ଯମଦେବତାଙ୍କ ବାଟ ଓଷା ନ କରିବା ଯୋଗୁଁ ଯମ ବୀରସେନଙ୍କୁ ଅପହରଣ କରି ନେଇଗଲେ ଏବଂ ନିଜର ମାତାଙ୍କୁ ତାଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବା ପାଇଁ କହିଥିଲେ । ତତ୍‌ପରେ ଯମ ସ୍ନାନ କରିବାକୁ ଚାଲିଗଲେ ।

ଇତ୍ୟବସରରେ ବୀରସେନଙ୍କ ନାକରେ ଦୁଇ ଖଣ୍ଡ କାଠି ପୂରାଇ ପୂଜା ସମୟରେ ଛିଙ୍କିବା ପାଇଁ ଯମଙ୍କ ମାତା ଶିଖାଇ ଦେଲେ । ବୀରସେନ, ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ । ଏହି ସମୟରେ ଯମମାତା ଅଚ୍ଛମର ହୁଅ ବୋଲି କହିଥିଲେ । ଯାହା ଫଳରେ ଯମଦେବ ବୀରସେନଙ୍କୁ ନ ମାରି, ବାଟ ଓଷା ନକଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଇଗଲେ । ପରିବାରବର୍ଗ ବୀରସେନଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ମଧ୍ୟ କାହିଁକି ରୁଷିଥିଲେ ବୋଲି ପଚାରିବାରୁ ଉତ୍ତରରେ କହିଲେ, ତୁମେ ଯମଦେବଙ୍କ ବାଟ ଓଷାକୁ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ବୋଲି କହିଥିଲେ । ଶେଷରେ ରାଜଗୃହରେ ମାତା କୌଶଲ୍ୟା ଯମଦେବଙ୍କ ବାଟ ଓଷା କରି, ଦାଣ୍ଡ ପହଁରି, ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ ।

Leave A Reply

Your email address will not be published.