Latest Odisha News

BREAKING NEWS

ବିକାଶ ବଦଳରେ ବିନାଶ କାମରେ ବ୍ୟସ୍ତ ବିଏମସି: ଅପରାଜିତା

ଭୁବନେଶ୍ୱର: ଝାରପଡା ହାଟକୁ ବେଆଇନ କହି ବିଏମସି ଭାଙ୍ଗି ଦେବା ପରେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି । ଏହି ସମୟରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ସେ ବିଏମସି ଉପରେ ବର୍ଷିଛନ୍ତି । ବିକାଶ କାମରେ ନିୟୋଜିତ ହେବା ପରିବର୍ତ୍ତେ ବିଏମସି ବିନାଶ କାମରେ ନିୟୋଜିତ ବୋଲି ସାଂସଦ କହିଛନ୍ତି। ବିଏମସି ହାଟକୁ ଉଚ୍ଛେଦ କରିବା ପୂର୍ବରୁ ପ୍ରଥମେ ଥଇଥାନ କରିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି।

ପୂର୍ବତନ ବିଏମସି କମିଶନର ତଥା ସାଂସଦ ଷଡ଼ଙ୍ଗୀ କହିଛନ୍ତି, ପ୍ରଥମେ ଉଚ୍ଛେଦ କରିବା ପୂର୍ବରୁ ବ୍ୟବସାୟୀଙ୍କ ସହ ଆଲୋଚନା କରିବାର ଥିଲା । କିନ୍ତୁ ଏବେ ଏହା ହେଉନାହିଁ । ଏଠାରେ ବିଜେପିରୁ ଧରିତ୍ରୀ ଜେନା କର୍ପୋରେଟର ଭାବେ ବିଜୟୀ ହୋଇଛନ୍ତି । ବିଏମସି ସମୟ ନଦେଇ ଏଥିପାଇଁ ଭାଙ୍ଗିବା ପଛର କାରଣ ହେଲା ମୁଁ ଦିଲ୍ଲୀରେ ସଂସଦରେ ଥିଲି । କାଳେ ଆଗୁଆ ସୂଚନା ପାଇଲେ ସାଂସଦ ଘଟଣାସ୍ଥଳକୁ ପଳାଇ ଆସିବେ । ଆଉ ଭାଙ୍ଗିବା କାମ ପୂରଣ ହୋଇପାରିବନି । ତେଣୁ ବିଏମସି ଏପରି କରିଛି ବୋଲି ସାଂସଦ କହିଛନ୍ତି।

ତେବେ କ୍ଷତିଗ୍ରସ୍ତଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ସେ ସାଂସଦ ଭାବରେ ବିଏମସିକୁ ଏକ ଚିଠି ଲେଖିବେ ବୋଲି କହିଛନ୍ତି । ଯେଉଁଠି ବ୍ୟବସାୟ ହେଉଥିବ ସେଠାରେ ସାତ ଦିନ ମଧ୍ୟରେ କ୍ଷତିଗ୍ରସ୍ତଙ୍କୁ ଜାଗା ଦେବାକୁ ସେ ବିଏମସିକୁ ଆହ୍ୱାନ କରିଛନ୍ତି। ଯଦି ଏଠାରେ ମାର୍କେଟ କଂପ୍ଲକ୍ସ ତିଆରି ହେବ ତାହେଲେ କ୍ଷତିଗ୍ରସ୍ତ ହୋଇଥିବା ୪୩୦ ବ୍ୟବସାୟିକ ପରିବାରକୁ ଅଗ୍ରାଧାକାର ଦିଆଯାଉ ବୋଲି ସେ କହିଛନ୍ତି ।

ସାଂସଦ ଷଡ଼ଙ୍ଗୀ ଘଟଣାସ୍ଥଳରେ ପରିଦର୍ଶନ କରୁଥିବା ବେଳେ ସାଙ୍ଗରେ କର୍ପୋରେଟର ଧରିତ୍ରୀ ଜେନା, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସୁନୀତି ମୁଣ୍ଡ ଏବଂ ବ୍ୟବସାୟୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.