ନୂଆଦିଲ୍ଲୀ: ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସର ବୈଭବ ସୂର୍ଯ୍ୟବଂଶୀ ଚୟନ କମିଟିଙ୍କୁ ପ୍ରଭାବିତ କରିପାରିଥିଲେ । ଏବେ ଏହି ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ ଟି୨୦ ଟିମରେ ସାମିଲ କରାଯାଇଛି । ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତରେ ଟିମ ଇଣ୍ଡିଆ ଯିବା ବେଳେ ବୈଭବଙ୍କୁ ନେଇ ବିସିସିଆଇ ଏକ ବଡ ନିଷ୍ପତି ନେଇଛି । ସେ ସମ୍ପୂର୍ଣ୍ଣ ଭାବେ ପରିପକ୍ୱ ହୋଇ ନ ଥିବାରୁ ବୈଭବଙ୍କ ସହ ତାଙ୍କା ବାପା ମାଆ ଯିବା ପାଇଁ ବିସିସିଆଇ ଅନୁମତି ପ୍ରଦାନ କରିଛି ।
ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି ବୈଭବ ଏବେ ବି ଛୋଟ ପିଲା । ତାଙ୍କ ସହ ବାପାମାଆ ଯିବା ଜରୁରୀ । ଏହା ତାଙ୍କ ମନୋବଳ ବଢ଼ାଇବା ବୋଲି ଆଶା କରାଯାଉଛି । ପୂର୍ବରୁ ୧୯୮୯ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ପାକିସ୍ତାନ ବିପକ୍ଷ ସିରିଜରେ ସଚିନଙ୍କ ସହ ତାଙ୍କ ବଡ ଭାଇ ଅଜିତ ଏହି ଗସ୍ତରେ ଯାଇଥିଲେ । କିଛି ଦିନ ତଳେ ବିସିସିଆଇ କ୍ରିକେଟ ଟିମର ବିଦେଶ ଗସ୍ତ ସମୟରେ ପରିବାର ସଦସ୍ୟ ଯିବା ନେଇ କଠୋର ନୀତି ଆପଣାଇଛି । ତେବେ ବୈଭବଙ୍କ କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯାଇଛି ।