Latest Odisha News

BREAKING NEWS

ଟିମ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷିତ: କଟକରେ ଟି୨୦, ଗୌହାଟୀରେ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଘରୋଇ ଆନ୍ତର୍ଜାତୀୟ କ୍ରିକେଟର କାର୍ଯ୍ୟସୂଚୀ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଟିମ ଭାରତ ଗସ୍ତରେ ଆସିବେ । କଟକ ବାରବାଟୀରେ ଦକ୍ଷିଣ ଆଫ୍ରିକା ଟିମ ଭାରତ ବିପକ୍ଷରେ ଟି୨୦ ମ୍ୟାଚ ଖେଳିବ । ଡିସେମ୍ବର ୯ରେ ଏହି ମ୍ୟାଚ ଆୟୋଜିତ ହେବ । ଯାହାକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ସେହିପରି ଗୌହାଟୀରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳାଯିବ । ୱେଷ୍ଟଇଣ୍ଡିଜ ଟିମ ପ୍ରଥମେ ଏହି ଗସ୍ତରେ ଆସି ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଅକ୍ଟୋବର ୨ରୁ ଅହମ୍ମଦାବାଦରେ ପ୍ରଥମ ଟେଷ୍ଟ ଏବଂ ୧୦ରୁ କୋଲକାତା ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ସିରିଜ ପରେ ଦକ୍ଷିଣ ଆଫ୍ରିକା ଭାରତ ଆସିବ ।

ଭ୍ରମଣକାରୀ ଦଳ ୩ଟି ଯାକ ଫର୍ମାଟରେ ଏଠାରେ ମ୍ୟାଚ ଖେଳିବ । ଏହି ଗସ୍ତର ଆରମ୍ଭରେ ଦକ୍ଷିଣ ଆଫ୍ରିକା ୨ଟି ଟେଷ୍ଟ ଖେଳିବ । ନଭେମ୍ବର ୧୪ରୁ ନୂଆଦିଲ୍ଲୀରେ ଏବଂ ୨୨ରୁ ଗୌହାଟୀରେ ଏହି ମ୍ୟାଚ ଖେଳାଯିବ । ଏହା ପରେ ନଭେମ୍ବର ୩୦ରେ ପ୍ରଥମ ଦିିନିକିଆ ରାଂଚୀରେ ଖେଳାଯିବ । ସିରିଜର ବାକି ୨ଟି ମ୍ୟାଚ ଯଥାକ୍ରମେ ଡିସେମ୍ବର ୩ ଓ ୬ରେ ରାୟପୁର ଏବଂ ବିଶାଖପାଟନମରେ ଆୟୋଜିତ ହେବ । ଦିନିକିଆ ସିରିଜ ପରେ ଉଭୟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ପ୍ରଥମ ଟି୨୦ କଟକରେ ଡିସେମ୍ବର ୯ରେ ଖେଳାଯିବ । ଏହା ପରେ ବାକି ୪ଟି ମ୍ୟାଚ ୧୧, ୧୪, ୧୭ ଓ ୧୯ ଡିସେମ୍ବରରେ ଯଥାକ୍ରମେ ଚଣ୍ଡୀଗଡ, ଧର୍ମଶାଳା, ଲକ୍ଷ୍ନୌ ଓ ଅହମ୍ମଦାବାଦରେ ଆୟୋଜିତ ହେବ ।

Comments are closed.