ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ନେଇ ଅନେକ ଖବର ପ୍ରକାଶ ପାଇ ଆସୁଛି । ନିକଟରେ ଗମ୍ଭୀରଙ୍କ ସ୍ଥାନରେ ଭିିଭିଏସ ଲକ୍ଷ୍ମଣ ଟେଷ୍ଟ କ୍ରିକେଟରେ କୋଚ ଦାୟିତ୍ୱ ତୁଲାଇବେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ଏହି ଖବରକୁ ବିସିସିଆଇ ଖଣ୍ଡନ କରିବା ସହ ଗମ୍ଭୀରଙ୍କୁ ସମର୍ଥନ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟରେ ଭାରତ ଶୋଚନୀୟ ଭାବେ ପରାଜିତ ହେବା ପରେ ଲକ୍ଷ୍ମଣଙ୍କ ସହ ବିସିସିଆଇ କୋଚ ପଦ ପାଇଁ ଯୋଗାଯୋଗ କରିଥିଲେ ।
ଲକ୍ଷ୍ମଣ କୋଚ ଦାୟିତ୍ୱ ଗ୍ରହଣ କରିବା ବଦଳରେ ସେଂଟର ଅଫ ଏକ୍ସିଲେନ୍ସର ଦାୟିତ୍ୱ ନେଇ ସନ୍ତୁଷ୍ଟ ଅଛନ୍ତି ବୋଲି କହିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ଏହା ଖୁବ ଶୀଘ୍ର ଭାଇରାଲ ହୋଇଥିଲା । ଏହି ଗୁଜବ ଉପରେ ବିରାମ ଲଗାଇବା ପାଇଁ ବିସିସିଆଇ ଏହାକୁ ଖଣ୍ଡନ କରିଛି । ଗମ୍ଭୀରଙ୍କୁ ୩ ବର୍ଷ ପାଇଁ ଚୁକ୍ତିବଦ୍ଧ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଚାଲିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ପୂର୍ବରୁ ସିନିୟର ଖେଳାଳିଙ୍କ ସହ ଗମ୍ଭୀରଙ୍କ ମତଭେଦ ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା ।