ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ଏଥର ଟିମ ଇଣ୍ଡିଆ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି । ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ୱକପରେ ଖେଳିବେ କି ନାହିଁ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରିପୋର୍ଟ ମୁତାବକ ବିସିସିଆଇ ଜନୈକ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଖୁବ ଶୀଘ୍ର କୋହଲି ଓ ରୋହିତଙ୍କ ସହ ଏକ ପାରଦର୍ଶୀ ଆଲୋଚନା ହେବ । ଉଭୟ ପୂର୍ବରୁ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ୨୦୨୭ ବିଶ୍ୱକପ ଭାରତରେ ଆୟୋଜିତ ହେବ । ସେତେବେଳକୁ କୋହଲି ଏବଂ ରୋହିତ ୪୦ ବର୍ଷ ପାଖାପାଖି ହୋଇ ଯାଇଥିବେ । ଭାରତ ଏହା ମଧ୍ୟରେ ୬ଟି ଦିନିକିଆ ମ୍ୟାଚ ଖେଳିବ ।
ରୋହିତ ଓ କୋହଲିଙ୍କୁ ଖେଳାଇବା ନେଇ ଏବେ ବିସିସିଆଇ ଦୁଇ ଭାଗ ହୋଇଯାଇଛି କହିଲେ ଭୁଲ ହେବନି । କିଛି ଅଧିକାରୀ ସେମାନଙ୍କ ଅଭିଜ୍ଞତା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ କହୁଥିବା ବେଳେ ଅନ୍ୟମାନେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେବା ପାଇଁ ପ୍ରସ୍ତାବ ଦେଉଛନ୍ତି । ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ବିଜୟୀ କରାଇବାରେ ଏହି ଦୁଇ ମହା ନାୟକଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଘରୋଇ ପରିବେଶରେ ଏହି ଦୁଇ ମହାରଥୀ ଖେଳି ଦଳକୁ ବିଜୟୀ କରାଇବା ସହ ଅବସର ନେଲେ ପ୍ରଶଂସକଙ୍କୁ ମନ ବୁଝିବ । ଟେଷ୍ଟ ଏବଂ ଟି୨୦ରେ ଯେଉଁ ଭଳି ଭାବେ ବିଦାୟ ସେମାନେ ଚାହିଁଥିଲେ ତାହା ମିଳି ନାହିଁ । ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ବିସିସିଆଇ ଏହି ଦୁଇ ଖେଳାଳିଙ୍କୁ ଖେଳାଇବା ସପକ୍ଷରେ ରହିଥିଲା । ଶୁଭମନ ଗିଲଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିବା ପରେ ଏବେ ସ୍ୱର ବଦଳି ଯାଇଛି । ଦେଖାଯାଉ ବିସିସିଆଇ ଏହି ଦୁଇ ମହାନ ଖେଳାଳିଙ୍କ ସମ୍ପର୍କରେ କେଉଁ ଭଳି ନିଷ୍ପତି ନେଉଛି ।
Comments are closed.