Latest Odisha News

ହୁ ହୁ ହୋଇ ଜଳିଗଲା ବିୟର ଭର୍ତ୍ତି ଟ୍ରକ

ବଲାଙ୍ଗୀର: ହୁ ହୁ ହୋଇ ଜଳିଗଲା ବିୟର ଭର୍ତ୍ତି କଣ୍ଟେନର ବା ବଡ଼ ଟ୍ରକ। ରବିବାର ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ବିୟର ନଷ୍ଟ ହୋଇଯାଇଛି। ଟ୍ରକଟି ଆନ୍ଧ୍ରପ୍ରଦେଶର ଶ୍ରୀ ସିଟିରୁ ବିୟର କ୍ୟାନ ଭର୍ତ୍ତି କରି ବେଲପଡାସ୍ଥିତ ଏକ ପ୍ଲାଣ୍ଟକୁ ଆସୁଥିଲା। ତେବେ କୌଣସି କାରଣରୁ ଟ୍ରକଟି ସିନ୍ଧେକେଲା ଥାନା ଅନ୍ତର୍ଗତ ସାଲେମୁଡୁଗା ଗ୍ରାମରେ ପହଞ୍ଚିବା ପରେ ଅଗ୍ନିକାଣ୍ଡର ଶିକାର ହୋଇଛି।

 ମିଳିିଥିବା ସୂଚନା ଅନୁସାରେ ଡ୍ରାଇଭର କଣ୍ଟେନରରୁ ଧୂଆଁ ବାହାରୁଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ଏହାପରେ ସେ ଗାଡିରୁ ବାହାରି ଆସିଥିଲେ। ତେବେ କିଛି ସମୟ ପରେ କଣ୍ଟେନରରେ ନିଆଁ ଲାଗିଯାଇଥିଲା। ତେଣୁ ସ୍ଥିତି ବେକାବୁ ହୋଇଯାଉଥିବା ଦେଖି ସେ ଓ ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଅଗ୍ନିଶମ ଟିମକୁ ଖବର ଦେଇଥିଲେ।

ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ପ୍ରାୟ 10 ଲକ୍ଷ ଟଙ୍କା ମୂଲ୍ୟର ବିୟରର ସମ୍ପୂର୍ଣ୍ଣ ନିଆଁରେ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ କରିଛି। ନିଆଁ ଲାଗିବାର କାରଣ ଜଣାପଡ଼ିନି। ହେଲେ ରାସ୍ତାରେ ତଳକୁ ଝୁଲୁଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଟ୍ରକଟିରେ ନିଆଁ ଲାଗି ଯାଇଥାଇପାରେ ବୋଲି ଅନୁମାନ କରାଯାଉଛି।

Comments are closed.