ମୁମ୍ବାଇ: ଭାରତୀୟ ଫିଲ୍ମ ପ୍ରଶଂସକ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତ୍ୟାବର୍ତନକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ଏସଏସ ରାଜମୌଲୀଙ୍କ ୧୦୦୦ କୋଟି ବଜେଟ ଫିଲ୍ମରେ ପ୍ରିୟଙ୍କା ଅଭିନୟ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ଏଥିରେ ମହେଶ ବାବୁଙ୍କ ସହ ସେ ଅଭିନୟ କରିବେ । ଯାହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ଜୁମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଏହା ପୂର୍ବରୁ ରଣବୀର ସିଂ ଅଭିନୀତ ଡନ ୩ରେ ଅଭିନୟ କରିବେ । ତେବେ ଏହି ଖବର ସତ୍ୟତା ଏ ପର୍ଯ୍ୟନ୍ତ ପୃଷ୍ଟି ହୋଇ ପାରିନି । ୨୦୦୬ରେ ଫରହାନ ଅଖତାର ଜଙ୍ଗଲୀ ବିଲ୍ଲୀ ଭାବେ ପ୍ରିୟଙ୍କାଙ୍କୁ ଚରିତ୍ରକୁ ଉପସ୍ଥାପନ କରିଥିଲେ । ଯାହାକୁ ବେଶ ପସନ୍ଦ କରାଯାଇଥିଲା ।
ଶାହାରୁଖ ପ୍ରଥମ ୨ଟି ସଂସ୍କରଣରେ ଅଭିନୟ କରିଥିବା ବେଳେ ଏଥର ରଣବୀରଙ୍କୁ ଏହି ଭୂମିକା ପାଇଁ ବଛା ଯାଇଛି । ରଣବୀରଙ୍କ ସହ କିୟାରା ଆଡଭାନୀଙ୍କୁ ମୂଖ୍ୟ ଭୂମିକା ପ୍ରଦାନ କରାଯାଇଛି । ଡନ ଫିଲ୍ମରେ ଶାହାରୁଖଙ୍କ ସହ ପ୍ରିୟଙ୍କାଙ୍କ ମତଭେଦ ହୋଇଥିବା ଖବର ପ୍ରକାଶ ପାଇଥିଲା । ଏଥର ତାଙ୍କ ଅନୁପସ୍ଥିତିରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ଆଶା କରାଯାଉଛି । ରାଜମୌଲୀଙ୍କ ଜଙ୍ଗଲ ଆଡଭେନଚର ଉପରେ ନିର୍ମିତ ଫିଲ୍ମରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ହଁ ମାରିଛନ୍ତି । ତେବେ ଡନ ୩ରେ ସେ ଅଭିନୟ କରିବେ କି ନାହିଁ ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ।