Latest Odisha News

BREAKING NEWS

ବ୍ରହ୍ମପୁରରେ ଖୋଲିଲା ଦୁଇ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର; ଘର ପାଖରେ ମିଳିବ ସ୍ବାସ୍ଥ୍ୟ ସେବା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଦୁଇଟି ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟନ ହୋଇଯାଇଛି। ସେଥିରୁ ଗୋଟିଏ ୧୫ ନମ୍ବର ୱାର୍ଡର ତୁଳସୀ ନଗରରେ ଥିବା ବେଳେ ଅନ୍ୟଟି ୧୨ ନମ୍ବର ୱାର୍ଡ ମୀନାକ୍ଷୀ ନଗର ଠାରେ ରହିଛି।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ଼ି, ମହାନଗର ନିଗମର କମିଶନର ଜେ.ସୋନାଲ ପ୍ରମୁଖ ଯୋଗଦେଇ ଉଦଘାଟନ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର କୋଅପରେଟିଭ୍‌ ଅର୍ବାନ ବ୍ୟାଙ୍କର ସଭାପତି ଆର୍‌. ମୂରଲୀମୋହନ, ୧୫ ନମ୍ବର ୱାର୍ଡ କର୍ପୋରେଟର ଆର୍‌.ପାବନୀ, ୧୨ ନମ୍ବର ୱାର୍ଡ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧିଙ୍କ ସମେତ ଅନ୍ୟ କର୍ପୋରେଟରମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ସାଂସଦ ସାହୁ କହିଥିଲେ ଯେ, ପୂର୍ବରୁ ସହରରେ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍‌ସି) କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ଆଉ ୬ଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି । ସେଥିରୁ ଦୁଇଟି ଶୁକ୍ରବାର ଉଦ୍‌ଘାଟିତ ହୋଇଛି ।

ଅଗଷ୍ଟ ୩୧ ତାରିଖ ସ୍ବାୟତ ଶାସନ ଦିବସ ଅବସରରେ ଆଉ ୪ଟି ଶୁଭାରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି । ସହରରେ ଥିବା ୟୁପିଏଚ୍‌ସି ଗୁଡ଼ିକରେ ସହରବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ମିଳୁଛି । ବିଗତ ଦିନ ଗୁଡ଼ିକରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ସେଗୁଡ଼ିକ ପୁରସ୍କୃତ ହୋଇଛି । ଯେଉଁ ୬ଟି ନୂତନ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

ସେଠାରେ ସହରବାସୀମାନେ ଚିକିତ୍ସା କ୍ଷେତ୍ରରେ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ମେୟର ଦଳେଇ କହିଥିଲେ ଯେ, ସ୍ବାସ୍ଥ୍ୟ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ସହରରେ ଗୋଟିଏ ପରେ ଗୋଟିଏ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲା ଯାଉଛି ।

ଏହି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳର ଗର୍ଭବତୀ, ନବଜାତ ଶିଶୁ, ବରିଷ୍ଠ ନାଗରିକଙ୍କ ସହିତ ଅନ୍ୟମାନଙ୍କୁ ସ୍ବାସ୍ଥ୍ୟ ସେବା ମିଳିପାରିବ। ଗର୍ଭାବସ୍ଥା ଓ ପ୍ରସବ ସମୟରେ ଯତ୍ନ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସେବା, କୈଶୋର ସ୍ୱାସ୍ଥ୍ୟ ସେବା, ପରିବାର ନିୟୋଜନ, ଗର୍ଭ ନିରୋଧକ ପଦ୍ଧତି ଓ ଅନ୍ୟାନ୍ୟ ପ୍ରଜନନ ସ୍ୱାସ୍ଥ୍ୟ ସେବା, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସଂକ୍ରାମକ ରୋଗ ଚିକିତ୍ସା, ସାଧାରଣ ରୋଗ ଓ ସାମୟିକ ଅସୁସ୍ଥତାର ବର୍ହିବିଭାଗ ସେବା, ଅଣସଂକ୍ରାମକ ରୋଗର ଚିହ୍ନଟ, ପରାମର୍ଶ, ନିୟନ୍ତ୍ରଣ ଓ ଚିକିତ୍ସା, କର୍ଣ୍ଣ, ନାସା, ଗଳା ଓ ଚକ୍ଷୁରୋଗ ସମ୍ବନ୍ଧୀୟ ସେବା, ପ୍ରାଥମିକ ମୁଖ ଗହ୍ବର ଯତ୍ନ, ବୟସ୍କଙ୍କ ସ୍ୱାସ୍ଥ୍ୟ ସେବା ଓ ଯତ୍ନ, ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଓ ମାନସିକ ରୋଗ ଚିହ୍ନଟ ଓ ଏହାର ପ୍ରାଥମିକ ଚିକିତ୍ସା ସୁବିଧା ମିଳିପାରିବ ।

ସମସ୍ତ ସ୍ୱାସ୍ଥ୍ୟ ସମସ୍ୟାର ପ୍ରାଥମିକ ଚିକିତ୍ସା ପାଇଁ ପରାମର୍ଶ, ରୋଗ ନିରୂପଣ ଏବଂ ଔଷଧ ବିନା ମୂଲ୍ୟରେ ଉପଲବ୍ଧ ହେବ । କେନ୍ଦ୍ରରେ ଜଣେ ମେଡ଼ିକାଲ ଅଫିସର, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ଲ୍ୟାବ ଟେକ୍ନିସିଆନ, ଯୋଗ ପ୍ରଶିକ୍ଷକ, ସହଯୋଗୀ ଷ୍ଟାଫ, ଜଣେ ସଫେଇ କର୍ମଚାରୀ ଓ ସିକ୍ୟୁରିିଟି ଗାର୍ଡ ନିୟୋଜିତ ହେବେ । ବାର ଅନୁଯାୟୀ ବିଶେଷଜ୍ଞ ଡାକ୍ତରମାନେ ଚିକିତ୍ସା ସେବା ଯୋଗାଇଦେବେ ବୋଲି ମହାନଗର ନିଗମ ତରଫରୁ ସୂଚନା ମିଳିଛି।

Leave A Reply

Your email address will not be published.