ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଅନ୍ତିମ ମ୍ୟାଚ ଦି ଓଭାଲରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ଅନ୍ତିମ ଟେଷ୍ଟରୁ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚ୍ଚର ଓ ବ୍ରାୟଡନ କର୍ସ ଚୂଡାନ୍ତ ଏକାଦଶରୁ ବାଦ ପଡିଛନ୍ତି । କ୍ରିସ ୱକସ, ଗସ ଆଟିକସନ ଓ ଜେମୀ ଓଭର୍ଟନଙ୍କ ପରି ସୁଇଂ ବୋଲରଙ୍କୁ ଦଳରେ ସାମିଲ କରାଯାଇଛି । ଯାହା ଭାରତୀୟ ଟିମ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ସୁଇଂ ବୋଲରଙ୍କୁ ଟିମରେ ସାମିଲ କରିବା ମାନେ ଦି ଓଭାଲରେ ବୋଲରଙ୍କ ପାଇଁ ଭୂ ସ୍ୱର୍ଗ ସାବ୍ୟସ୍ତ ହେଲା ଭଳି ପିଚ ପ୍ରସ୍ତୁତ କରାଯାଇଛି ।
ଅବଶ୍ୟ ଭାରତର ମହମ୍ମଦ ସିରାଜ ଓ ଆକାଶଦୀପ ସୁଇଂ ପିଚରୁ ଫାଇଦା ଉଠାଇପାରିବେ । ତେବେ ଇଂଲଣ୍ଡ ଟିମ ଘରୋଇ ପିଚର ଭରପୂର ଫାଇଦା ଉଠାଇବ ବୋଲି ଆଶା କରାଯାଉଛି । ଦଳର ଯୁବ ବ୍ୟାଟ୍ସମ୍ୟାନ ଏ ପର୍ଯ୍ୟନ୍ତ ଇଂଲଣ୍ଡରେ ସୁଇଂ ବୋଲରଙ୍କୁ ସୁହାଉଥିବା ପିଚରେ ଖେଳି ନାହାନ୍ତି । ଏହି ମ୍ୟାଚରେ ସେମାନଙ୍କ ବ୍ୟାଟିଂ ଦକ୍ଷତା ସମ୍ମୁଖକୁ ଆସିବ । ଯଶପ୍ରୀତ ବୁମରାହ ଓ ରିଷଭ ପନ୍ତଙ୍କ ଅନୁପସ୍ଥତିରେ ଭାରତୀୟ ଟିମ କମ୍ବିନେଶନ ବିଗିଡିଯାଇପାରେ ବୋଲି ଅନୁମାନ କରାଯାଉଛି । ଏହି ମ୍ୟାଚରେ ଭାରତ ବିଜୟ ହାସଲ କଲେ ସିରିଜ ବରାବର କରି ପାରିବ । ଅନ୍ୟଥା ସିରିଜ ହାତଛଡା କରିବ ।
Comments are closed.