କୋଲକାତା: ବେଙ୍ଗଲ କ୍ରିକେଟ ଟିମର ମୂଖ୍ୟ କୋଚ ଲକ୍ଷ୍ମୀ ରତନ ଶୁକ୍ଲା ବୁଧବାର ମହମ୍ମଦ ସାମୀଙ୍କୁ ଖୋଲାଖୋଲି ଭାବେ ସମର୍ଥନ ଦେଇଛନ୍ତି । ସେ ଭାରତର ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଟାର୍ଗେଟ କରି କହିଛନ୍ତି ସାମୀଙ୍କୁ କୌଣସି ସାର୍ଟିଫିକେଟର ଆବଶ୍ୟକତା ନାହିଁ । ଗୁଜରାଟ ବିପକ୍ଷ ରଣଜୀ ମ୍ୟାଚରେ ସାମୀଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ବେଙ୍ଗଲ ଏହି ମ୍ୟାଚକୁ ସହଜରେ ଜିତି ନେଇଥିଲା । ସାମୀ ୮ଟି ୱିକେଟ ଅକ୍ତିଆର କରିଥିଲେ । ଶୁକ୍ଲା ତାଙ୍କ ବୟାନରେ ଅବଶ୍ୟ ଅଗରକରଙ୍କ ନାମ ସିଧାସଳଖ ନେଇ ନ ଥିଲେ ମଧ୍ୟ ତାଙ୍କୁ ଟାର୍ଗେଟ କରିଥିବା ଜଣାପଡିଛି ।
ବିଶ୍ୱ କ୍ରିକେଟ ସାମୀଙ୍କ ବୋଲିଂ ପ୍ରଦର୍ଶନ କିପରି ଭଲ ଭାବେ ଜାଣିଛି । ସାମୀ ଚଳିତ ରଣୀଜ ମ୍ୟାଚରେ ୨ଟି ମୁକାବିଲାରେ ୧୫ ୱିକେଟ ହାସଲ କରି ଫର୍ମ ଏବଂ ଫିଟ ଥିବାର ପ୍ରମାଣ ଦେଇଛନ୍ତି । ବିଭିନ୍ନସ୍ତରର କ୍ରିକେଟରେ ୫୦୦ ୱିକେଟ ନେଇ ସାରିଥିବା ସାମୀ ଯେଉଁ ଭଳି ରନଅପ ନେଉଛନ୍ତି ଏବଂ ବୋଲିଂ କରୁଛନ୍ତି ତାହା ଅବିଶ୍ୱସନୀୟ ବୋଲି ଶୁକ୍ଲା କହିଛନ୍ତି । ଫିଟ ହେବା ପରେ ସାମୀ ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ ଲକ୍ଷ୍ୟରେ ଥିଲେ । ଚୟନ କମିଟି ମୂଖ୍ୟ ଅଗରକର ତାଙ୍କ ଫିଟନେସ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଏହା ପରେ ସାମୀ ମଧ୍ୟ ପରୋକ୍ଷରେ ଅଗରକରଙ୍କୁ ଟାର୍ଗେଟ କରି ସେ ଫିଟ ଥିବା ଜଣାଇଥିଲେ । ଏବେ ବିଭିନ୍ନ ମହଲରୁ ସାମୀଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି ।
Comments are closed.