Latest Odisha News

BREAKING NEWS

Bengaluru Woman Died: ଚକୋଲେଟ୍ ଖାଇଲେ, ଗାଧୋଇ ଗଲେ…କିଛି ମିନିଟ୍ ପରେ ଚାଲିଗଲା ଜୀବନ!

ବେଙ୍ଗାଲୁରୁ: ବେଙ୍ଗାଲୁରୁର ୨୩ ବର୍ଷୀୟ ଯୁବତୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଏବେ ଚର୍ଚ୍ଚା। ଚକୋଲେଟ୍ ଖାଇବା ପରେ ବାଥରୁମ୍‌କୁ ଯାଉଥିବା ବେଳେ ହଠାତ୍ ଅଚେତ ହୋଇ ପଡ଼ିଥିଲେ ଯୁବତୀ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ ଯୁବତୀଙ୍କ ନାଁ ବର୍ଷା। ସେ ସେପ୍ଟେମ୍ବର ୧୧ ତାରିଖରେ ନିଜର ଜଣେ ସମ୍ପର୍କୀୟ ଓ ଜଣେ ବନ୍ଧୁଙ୍କ ସହ ହାସନ ଜିଲ୍ଲାର ସାକଲେଶପୁର ଯାଇଥିଲେ। ସେଠାରେ ଏକ ଲଜ୍‌ରେ ରହୁଥିଲେ।

ପୋଲିସର ସୂଚନା ଅନୁସାରେ, ବର୍ଷା ଚକୋଲେଟ୍ ଖାଇବା ପରେ ବାଥରୁମ୍‌କୁ ଯିବାକୁ ବାହାରିଥିଲେ। କିନ୍ତୁ ବାଥରୁମ୍ ଆଡ଼କୁ ଯାଉଥିବା ସମୟରେ ହଠାତ୍ ସେ ତଳେ ପଡ଼ିଯାଇଥିଲେ।

ଘଟଣା ପରେ ତାଙ୍କ ସହ ଥିବା ଦୁଇଜଣଙ୍କୁ ପୋଲିସ ପଚରାଉଚରା କରିଛି। ବର୍ଷାଙ୍କ ପରିବାର ମଧ୍ୟ ତାଙ୍କ ହାସନ ଯାତ୍ରା ବିଷୟରେ ଜାଣିଥିଲେ। ବେଙ୍ଗାଲୁରୁଠାରୁ ହାସନ ପ୍ରାୟ ୧୯୦ କିଲୋମିଟର ଦୂର। ପୋଲିସ କହିଛି, ତାଙ୍କ ଶରୀରରେ କୌଣସି ବାହ୍ୟ ଆଘାତର ଚିହ୍ନ ମିଳିନାହିଁ। ଏହାକୁ ନେଇ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯାଇଛି।

ତେବେ ଚକୋଲେଟ୍ ଖାଇବା ପରେ ଏମିତି କ’ଣ ହେଲା ଯେ, ହଠାତ୍ ବର୍ଷା ବେହୋସ୍ ହୋଇପଡିଲେ? କ’ଣ ଏହା ଏକ୍ସପ୍ୟାରି ହୋଇଯାଇଥିଲା? ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ? ଏହା ଏବେବି ସ୍ପଷ୍ଟ ହୋଇନାହିଁ। ବର୍ଷାଙ୍କ ମୃତଦେହର ପୋଷ୍ଟମର୍ଟମ୍ କରାଯାଇଛି ଏବଂ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Comments are closed.