ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଗୁରୁବାର ଗ୍ରୁପ ବିର ଏକ ମ୍ୟାଚରେ ଜିମ୍ବାୱେ ୬ ୱିକେଟରେ ଆୟୋଜକ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ଜିମ୍ବାୱେ ୭ ପଂଏଟ ସହ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ରହି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୭ ୱିକେଟ ବିନିମୟରେ ୧୭୮ ରନ କରିଥିଲା । ପାଥୂମ ନିଶାଙ୍କା ୬୨ ରନ କରିଥିଲେ । ବ୍ଲେସିଙ୍ଗ ମୁଜାରବାନୀ, ବ୍ରାଡ ଇଭାନ୍ସ ଓ ଗ୍ରେମ କ୍ରେମର ୨ଟି ଲେଖାଏଁ ୱିକେଟ ନେଇଥିଲେ । ୧୭୯ ରନର ବିଜୟ ଲକ୍ଷ୍ୟକୁ ଜିମ୍ବାୱେ ୧୯.୩ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା ।
ବ୍ରାଏନ ବେନେଟ୍ଟେ ୬୩ ଓ ସିକନ୍ଦର ରାଜା ୪୫ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଦୁଶାନ ହେମନ୍ତ ୨ଟି ୱିକେଟ ନେଇଥିଲେ । ସିକନ୍ଦର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଜିମ୍ବାୱେ ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ପରାସ୍ତ କରି ନିଜକୁ ଶକ୍ତିଶାଳୀ ଟିମ ଭାବେ ଉପସ୍ଥାପିତ କରିପାରିଛି । ଏବେ ସୁପର ଏଇଟରେ ଭାରତ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ସହ ଜିମ୍ବାୱେ ପ୍ରତିଦ୍ୱନ୍ଦ୍ୱିତା କରିବ ।