Latest Odisha News

ଜାତୀୟ ଊର୍ଜା ମେଳାରେ ବ୍ରହ୍ମପୁର ଛାତ୍ରୀଙ୍କ ସଫଳତା

ବ୍ରହ୍ମପୁର: ଦିଲ୍ଲୀର ଟାଟା ପାୱାର – ଡିଡିଏଲ୍ ପ୍ରଶିକ୍ଷଣ କେନ୍ଦ୍ରରେ ଜାତୀୟ ଊର୍ଜା ମେଳାରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ବ୍ରହ୍ମପୁର ଡିଏଭି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଅନୁଷ୍କା ସାହୁ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ଅଭିନବ ପ୍ରକଳ୍ପ “ଏରୋ ପ୍ୟାଜୋ ଫ୍ୟୁଜନ” ପାଇଁ ସେ ଉଚ୍ଚ ପ୍ରସଂଶିତ ହୋଇଛନ୍ତି। ଶିକ୍ଷୟତ୍ରୀ ତୃପ୍ତି ରାଣୀ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଅନୁଷ୍କାଙ୍କ “ଏରୋ ପ୍ୟାଜୋ ଫ୍ୟୁଜନ” ପ୍ରକଳ୍ପରେ ଶକ୍ତି ଉତ୍ପାଦନ ଏବଂ ପରିବେଶ ସୁରକ୍ଷା ବିଷୟରେ ନୂତନ ଧାରଣା ପ୍ରଦର୍ଶନ କରାଯାଇଥିଲା।  ଏହି ମଡେଲରେ ବିଜ୍ଞାନ ଓ ସୃଜନଶୀଳତାର ସମନ୍ୱୟ ଦେଖିବାକୁ ମିଳିଥିଲା।

କିଭଳି  ଅକ୍ଷୟ ଶକ୍ତିର ଉପଯୋଗ ଏବଂ ପରିବେଶ ପ୍ରଦୂଷଣ ହ୍ରାସ କରିବ ହେବ ତାହା ପ୍ରକଳ୍ପ ମାଧ୍ୟମରେ ଦେଖାଇଥିଲେ ଅନୁଷ୍କା। ଏହି ପ୍ରକଳ୍ପରେ ପ୍ୟାଜୋଇଲେକ୍ଟ୍ରିକ ଜେନେରେଟର, ପବନ ଚାଳିତ ଟର୍ବାଇନ୍, ଜୋତା ଇତ୍ୟାଦି ବ୍ୟବହାର ହୋଇଛି । ପ୍ରଦୂଷକରୁ କାଳି ତିଆରି ହୋଇପାରିବା ନେଇ ପ୍ରକଳ୍ପ ମାଧ୍ୟମରେ ସେ ଦେଖାଇଥିଲେ। ପ୍ରଦର୍ଶିତ ପ୍ରକଳ୍ପ ସମ୍ପର୍କରେ ଅନୁଷ୍କା କହିଛନ୍ତି,  ମୋର ଏହି ପ୍ରକଳ୍ପ ଶକ୍ତି ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା କରିବାରେ ସାହାଯ୍ୟ କରିବ।  ବର୍ତ୍ତମାନ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ଆହ୍ବାନ ମଧ୍ୟ । ଟିପିଏସ୍ଓଡିଏଲ୍ ତାଙ୍କୁ  ସୁଯୋଗ ଦେଇଥିବାରୁ ଟିପିଏସ୍ଓଡିଏଲକୁ କୃତଜ୍ଞତା ଜଣାଇଛନ୍ତି।

ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ଅନୁଷ୍କା ଏବଂ ତାଙ୍କ ମାର୍ଗଦର୍ଶକ ତୃପ୍ତି ରାଣୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଗର୍ଗ କହିଛନ୍ତି, ଜାତୀୟ ଊର୍ଜା ମେଳାରେ ଅନୁଷ୍କାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ  ଗର୍ବର ବିଷୟ। ଟିପିଏସ୍ଓଡିଏଲରେ ଆମେ ଯୁବ ପ୍ରତିଭାଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ସ୍ଵପ୍ନ ସାକାର କରିବା ଉପରେ ଗୁରୁତ୍ବ ଦେଇ କାମ କରୁ। ଅନୁଷ୍କାଙ୍କ ଏହି ସଫଳତା ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଅଭିନବ ସମାଧାନ ଦିଗରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।୮୦ ରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଇଜ୍, ଚିତ୍ରକଳା, ପଥପ୍ରାନ୍ତ ନାଟକ, ବିଜ୍ଞାନ ମେଳା ଭଳି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.