Latest Odisha News

BREAKING NEWS

ଶିବ ରଞ୍ଜନ ବିଶ୍ଵାଳଙ୍କୁ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମାଞ୍ଚେଷ୍ଟରଠାରେ ଅବସ୍ଥାପିତ ଯୁବ ଆଇ.ଟି. ଶିଳ୍ପଦ୍ୟୋଗୀ ଶିବ ରଞ୍ଜନ ବିଶ୍ଵାଳଙ୍କୁ ନିକଟରେ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବଠାରେ ପରିଚୟ ଫାଉଣ୍ଡେସନ ତରଫରୁ ଆୟୋଜିତ ନବମ ପରମ୍ପରା ପୁରସ୍କାର ସମାରୋହ ଅବସରରେ ଶ୍ରୀ ବିଶ୍ଵାଳଙ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ସମ୍ମାନ ଦିଆଯାଇଛି। ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ପାଇଁ ଶ୍ରୀ ବିଶ୍ଵାଳଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ଓଡ଼ିଶା ସମାଜ ୟୁ.କେ ର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ଵାଳ ଏବେ ୱାଲର୍ଡ଼ ଓଡ଼ିଶା ସୋସାଇଟିର ମହାସଚୀବ ପଦବୀରେ ଅଧିଷ୍ଠିତ ଅଛନ୍ତି। ପୁରସ୍କାର ସ୍ୱରୂପ ଶ୍ରୀ ବିଶ୍ଵାଳଙ୍କୁ ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ କେ.ଜେ. ଆଲଫୋନସ୍ ଏବଂ ସମ୍ମାନୀତ ଅତିଥି ପାଟନା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଭି.ଏନ ସିହ୍ନା ଏକ ଉତ୍ତରୀୟ ଓ ଫଳକ ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ସମୟରେ ଅନ୍ୟତମ ଅତିଥି ଭାବରେ ଦୁଇ ପ୍ରଖ୍ୟାତ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଗୀତା ଚନ୍ଦ୍ରନ ଓ ପଦ୍ମଶ୍ରୀ ଇଲିୟାନା ସୀତାରିଷ୍ଟ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

୧୯୭୭ ମସିହା ଜୁନ ୭ ତାରିଖରେ ବ୍ରହ୍ମପୁର ଠାରେ ଜନ୍ମଲାଭ କରିଥିବା ଶ୍ରୀ ବିଶ୍ଵାଳ ତାଙ୍କର ଏହି ପୁରସ୍କାରକୁ ନିଜର ମାତାପିତାଙ୍କୁ ଉତ୍ସର୍ଗ କରିଥିବା ଘୋଷଣା କରିଛନ୍ତି। ଶିବ ବିଶ୍ଵାଳଙ୍କର ପିତା ଇଂଜିନିୟର ମୀନକେତନ ବିଶ୍ଵାଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପୂର୍ବତନ ଯନ୍ତ୍ରୀ ଥିଲେ। ମାତା ସ୍ୱର୍ଗୀୟ ବାସନ୍ତୀ ବିଶ୍ଵାଳ ଜଣେ ସୁଗୃହିଣୀ ଥିଲେ। ଜଣେ ଉଚ୍ଚ କୋଟିର ଆଇ. ଟି ବିଶେଷଜ୍ଞ ଭାବରେ ପ୍ରତିଷ୍ଠା ଲାଭ କରିଥିବା ଶ୍ରୀ ବିଶ୍ଵାଳଙ୍କର ବିଭିନ୍ନ ଫରଚୁନ୍ ୫୦୦ କମ୍ପାନୀରେ କାମ କରିବାର ଦୀର୍ଘ ୨୨ ବର୍ଷ ର ଅଭିଜ୍ଞତା ରହିଛି। ୨୦୨୧ ମସିହାରେ ସେ ନିଜର ଦୁଇଟି କମ୍ପାନୀ ଏସାର ସିଷ୍ଟମସ ୟୁ. କେ ଏବଂ ଏସାର ସିଷ୍ଟମସ ଇଣ୍ଡିଆ ସ୍ଥାପନା କରିଛନ୍ତି। ଏସାର ସିଷ୍ଟମସ ଅଧିନରେ ଗୁରୁକୂଳ ଆଭାସୀ ମଞ୍ଚ ତରଫରୁ ବିଭିନ୍ନ ଶିକ୍ଷାଗତ ଓ ବୈଷୟିକ ତାଲିମ କାର୍ଯ୍ୟକ୍ରମ ମାନ ଏବେ ଚଲାଯାଉଛି। ଗୁରୁକୂଳ ତରଫରୁ ସାରାବିଶ୍ୱରେ ଓଡ଼ିଆ ଭାଷାର ଶିକ୍ଷା ମାଗଣାରେ ପ୍ରଦାନ କରାଯାଉଛି।

ଏସାର, ପୁରୀର ଆନନ୍ଦ ବଜାର ଢଙ୍ଗରେ ଏହାର ଏକ ଅନଲାଇନ ଆପ ଜରିଆରେ ଧରା ପୃଷ୍ଠର କୋଣ ଅନୁକୋଣରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରଦ୍ଧାଳୁ ମାନଙ୍କ ନିକଟରେ ଗୁଣାତ୍ମକମାନ, ତାଜାସ୍ଥିତି ଏବଂ ମୂଳସ୍ୱାଦକୁ ଅକ୍ଷୁର୍ଣ୍ଣ ରଖାଯାଇ ପ୍ରସାଦ ପହୁଞ୍ଚାଇ ବାର ବ୍ୟବସ୍ଥା କରାଯାଉଥିବା ଶ୍ରୀ ବିଶ୍ଵାଳ ଦର୍ଶାଇଛନ୍ତି। ଏସାର ଦ୍ୱାରା ପ୍ରସ୍ତୁତ କରାଯାଉଥିବା ‘ପୋଥି’ ଆପ ଜରିଆରେ ଇଣ୍ଟରନେଟରୁ ବିଶ୍ୱର ଯେକୌଣସି ଭାଷା ରେ ସୂଚନା ହାସଲ କରାଯାଇ ପାରିବ ବୋଲି ସୂଚନା ମିଳିଛି। ଡିଜିଟାଲ ଯୁଗରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣାଯିବା ଲକ୍ଷ୍ୟରେ ଏସାର ତରଫରୁ ‘ଆମ ଡାକ୍ତରଖାନା’ ନାମରେ ଏକ ଆଭାସୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ, ଲୋକମାନଙ୍କୁ ପରାମର୍ଶ ଓ ଚିକିତ୍ସା ସୁବିଧା ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ବିଶ୍ଵାଳ ପ୍ରକାଶ କରିଛନ୍ତି।

Comments are closed.