Latest Odisha News

BREAKING NEWS

ଦୁର୍ବ୍ୟବହାର ପ୍ରତିବାଦରେ ଭଦ୍ରକ ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ଭଦ୍ରକ (ଲାଲା ପ୍ରମୋଦ ରାୟ): ଭଦ୍ରକ ପୌରପାଳିକାର ଜଣେ ବରିଷ୍ଠ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ପରେ ଗୁରୁବାର ପୌରପାଳିକା କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କିଛି ମହିଳା କର୍ମଚାରୀଙ୍କ ସମେତ ମ୍ୟୁନିସିପାଲିଟି କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବା ସହ ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ କିଛି ଲୋକ ପଶି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେମାନେ ନାରାବାଜି କରିବା ସହ ପ୍ରାୟ ଘଣ୍ଟାଏ ଧରି କାର୍ଯ୍ୟାଳୟ କାମରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।

ଜଣେ କର୍ମଚାରୀ କହିଛନ୍ତି, କିଛି ହିତାଧିକାରୀଙ୍କ ଭତ୍ତାକୁ ଅନଲାଇନରେ ନଦେବା ପାଇଁ କିଛି କାଉନସିଲର ଏବଂ କିଛି ୱାର୍ଡର ଲୋକମାନେ ଆସି ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଦାବୀ କରିଥିଲେ। ଏହି ସମୟରେ ଉପସ୍ଥିତ ଥିବା କିଛି ଲୋକ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସେମାନେ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ ପ୍ରଦର୍ଶନ କରିଥିଲେ। ଏପରିକି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଏପରି ହୋଇଥିଲା ଯେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୋଲିସକୁ ଡ଼ାକି ତାଙ୍କ କାର୍ଯ୍ୟାଳୟରୁ ବାହାରକୁ ଆସିବାକୁ ପଡ଼ିଥିଲା । ଏହି ଖବର ଅଫିସର କର୍ମଚାରୀମାନେ ଜାଣିବା ପରେ ପୌର କର୍ମଚାରୀମାନେ ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ । ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ଏହାକୁ ବିରୋଧ କରି ପୌର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ଦୁର୍ବୁତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପରେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଗୁଲମାକି ଦଲାଜୀ ହବିବ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ। ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.