Latest Odisha News

BREAKING NEWS

ଲୁଟ୍ ଟଙ୍କା ଫେରାଇଲା ଭଦ୍ରକ ପୋଲିସ, ଜଣେ ଗିରଫ

ଭଦ୍ରକ: ଗତ ଜୁନ୍ ୯ ତାରିଖ ଦିନ ଭଦ୍ରକ ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ ଶାଖା ସମ୍ମୁଖ ଅପର୍ତ୍ତିବିନ୍ଧା ଛକ ନିକଟରେ ଅଶୋକ କୁମାର ଖିଲାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମଧ୍ୟାହ୍ନରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ୧୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଦିନ ଦ୍ଵିପହରରେ ଏକ ଜନ ଗହଳିପୂର୍ଣ୍ଣ ସ୍ଥାନରୁ ଏପରି ଲୁଟ୍ ଘଟଣାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଭଦ୍ରକ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଥିଲା ।

ତେବେ, ପ୍ରାୟ ୧୫ ଦିନ ପରେ ଭଦ୍ରକ ପୋଲିସ୍ ଏବେ ତା’ର ପାରିବାପଣିଆ ଦେଖାଇଛି । ଘଟଣାକୁ ଗୁରୁତର ସହ ନେଇ ଭଦ୍ରକ ଏସପି ଚରଣ ସିଂ ମୀନାଙ୍କ ତତ୍ତ୍ୱାବଧାନରେ ଭଦ୍ରକ ଟାଉନ୍ ଥାନା ପୋଲିସ ଏକ ଟିମ୍ ଗଠନ କରିଥିଲା । ଲୁଟ୍ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ଠାବ କରି ଗିରଫ କରିବା ସହ ଲୁଟ୍ ହୋଇଥିବା ୧୨ ଲକ୍ଷ ଟଙ୍କା ମଧ୍ୟରୁ ୯ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଜବତ ଟଙ୍କାକୁ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଅଶୋକ କୁମାର ଖିଲାରଙ୍କୁ ଫେରାଇଛି ଭଦ୍ରକ ପୋଲିସ ।

ଗିରଫ ଅଭିଯୁକ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକଳପଲି, ମରାଠୀ ସାହି ଅଞ୍ଚଳର ଏମ୍ ଶ୍ରୀକାନ୍ତ ବୋଲି ଜଣାପଡ଼ିଛି । ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବା ଲାଗି ପ୍ରୟାସ ଜାରି ରହିଥିବା କହିଛନ୍ତି ଭଦ୍ରକ ଏସପି ଚରଣ ସିଂ ମୀନା ।

ଏନେଇ ଭଦ୍ରକ ପୋଲିସକୁ ଧନ୍ୟବାଦ ଦେବା ସହ ବୃତ୍ତିରେ ଶିକ୍ଷକତା କରୁଥିବା ଅଶୋକ କୁମାର ଖିଲାର କହିଛନ୍ତି, ଏହି ଲୁଟ୍ ଘଟଣାରେ ନିଶ୍ଚିତ କେହି ସ୍ଥାନୀୟ ଦଲାଲର ସମ୍ପୃକ୍ତି ରହିଛି । ପୋଲିସ୍ ତାକୁ ଠାବ କରିବା ସହ ତାଙ୍କର କଷ୍ଟ ଅର୍ଜିତ ବାକି ୩ ଲକ୍ଷ ଟଙ୍କା ଉଦ୍ଧାର କରି ତାଙ୍କୁ ଫେରାଇବାକୁ ସେ ଭଦ୍ରକ ପୋଲିସକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.