Latest Odisha News

BREAKING NEWS

ପବିତ୍ର ଭାଗବତ ଜନ୍ମ: ଚଳଚଞ୍ଚଳ ନୀଳକନ୍ଦରର କୋଣଅନୁକୋଣ

ପୁରୀ: ଆଜି ପବିତ୍ର ଭାଗବତ ଜନ୍ମ ଓ ଇନ୍ଦୁପୂର୍ଣ୍ଣିମା । ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପ୍ରତି ଗାଁ ଓ ସହର । ଏପଟେ ଭାଗବତ ଜନ୍ମ ଉପଲକ୍ଷେ ପୁରୀ ଜିଲ୍ଲାର କୋଣଅନୁକୋଣରେ ଥିବା ଭାଗବତ ଟୁଙ୍ଗୀରେ ଅନୁଷ୍ଠିତ ହେଉଛି ପବିତ୍ର ଭାଗବତ ଜନ୍ମ ।

ଶ୍ରୀମନ୍ଦିରରେ ପ୍ରତିଦିନ ଧୂପ ସମୟରେ ପୁରାଣ ପଣ୍ଡା ଭାଗବତ ପାଠ କରିଥାନ୍ତି । ସେଥିପାଇଁ ବେହେରଣ ଦ୍ୱାର ନିକଟରେ ଏକ ଭାଗବତ ଟୁଙ୍ଗୀ ବା ମନ୍ଦିର ରହିଛି । ସହରର ବଡ ଓଡିଆ ମଠ ଓ ସାନ ଓଡିଆ ମଠ, ସାତ ଲହଡି ମଠ , ଜଗନ୍ନାଥ ବଲ୍ଲବ ମଠ, ଏବଂ ବିଭିନ୍ନ ମଠ ମନ୍ଦିର ସହିତ ସହର ତଳି ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମର କୋଠ ଦ୍ୱାରା ପୂଜା ପାଉଥିବା ଭାଗବତ ଟୁଙ୍ଗୀଘରେ ଭାଗବତ ଜନ୍ମ ପାଳନ କରାଯାଇଛି । ପ୍ରତ୍ୟେକ ଦିନ ଭାଗବତ ପାଠ କରାଯାଉଥିବା ମଠ, ଅଶ୍ରମ ତଥା ଗୃହସ୍ଥ ମାନଙ୍କ ଘରେ ଭାଗବତ ପଢା ଅନୁଷ୍ଠିତ ହୋଇଛି । ସେଥିପାଇଁ ଓଡିଆ ଭାଗବତ ସହିତ ଜଡିତ ଥିବା ଆଶ୍ରମ ଓ ମଠ ମାନଙ୍କରେ ସ୍ୱତନ୍ତ୍ର ଭାବରେ ପୂଜାର୍ଚ୍ଚନା ଓ ଭୋଗ ରାଗ କରାଯାଇଛି । ଗାଁ ମାନଙ୍କରେ ଭାଗବତ ଗୋସାଇଁଙ୍କୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଅର୍ପଣ କରାଯାଇ ବଣ୍ଟନ କରାଯାଇଛି ।  ଏପରିକି ଅନେକ ଘର ମାନଙ୍କରେ ମଧ୍ୟ ଭାଗବତ ଜନ୍ମନୀତି ଅନୁଷ୍ଠିତ ହୋଇଛି ।

ସେପଟେ ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦ ବନ୍ଦାପନା ନୀତି ସହ ଇନ୍ଦ୍ର ହାତୀ ପ୍ରସ୍ତାବ ସମ୍ପନ୍ନ ହେବ । ଏହି ନୀତିରେ ସଂଧ୍ୟା ଆଳତି ସରିବା ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆସିଥାଏ । ଏହା ପରେ ଶ୍ରୀଦୋଳଗୋବିନ୍ଦ ପାଲିଙ୍କିରେ ଯାଇ ବଡ଼ ଛତା ମଠ ପାର୍ଶ୍ୱରେ ବିଜେ କରନ୍ତି । ଘଣ୍ଟ, ଛତା ଓ କାହାଳୀ ସହ ପାଲିଙ୍କିରେ ଆସିଥାନ୍ତି ଶ୍ରୀଦୋଳଗୋବିନ୍ଦ । ଏହା ପରେ ବଡ଼ ଛତା ମଠ ପାଶ୍ୱର୍ରେ ଶୀତଳ ଭୋଗ କରାଯାଏ । ଏକ କାଠନିର୍ମିତ ଐରାବତ ହସ୍ତୀପୃଷ୍ଠରେ ଇନ୍ଦ୍ର ହରଚଣ୍ଡି ସାହି ଆଖାଡ଼ାଘରଠାରୁ ବାଲିସାହି ମଧ୍ୟଦେଇ ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ହୁଅନ୍ତି । ଇନ୍ଦ୍ର ଓ ଗୋବିନ୍ଦ ଉଭୟଙ୍କୁ ବନ୍ଦାପନା କରାଯାଇ ଉତ୍ସବ ସମାହିତ ହୋଇଥାଏ । ବନ୍ଦାପନା ଶେଷ ହେବା ପରେ ଶ୍ରୀଦୋଳଗୋବିନ୍ଦ ବଡ଼ଦେଉଳକୁ ବିଜେ କରନ୍ତି ।

Comments are closed.