Latest Odisha News

BREAKING NEWS

କଂଗ୍ରେସର ‘ଭାରତ ବନ୍ଦ’: ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଦେଶବ୍ୟାପୀ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ ଦଳ । ଏହି ବନ୍ଦ ଡ଼ାକରାକୁ ମଧ୍ୟ ଦେଶର ୧୭ଟି ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ତେବେ ଓଡ଼ିଶାରେ ଆଜିର ଏହି ଭାରତ ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି ।

ବିଜେପି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ମାତ୍ରାଧିକ ତୈଳବୃଦ୍ଧିରେ ସାଧାରଣ ଖାଉଟୀ ହନ୍ତସନ୍ତ ହୋଇଥିବା ବେଳେ ସରକାରଙ୍କ ଏପରି ଏକଚାଟିଆ ନୀତିକୁ ବିରୋଧ କରି ଆଜି ଓଡ଼ିଶାରେ କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦ ଡ଼ାକରାକୁ ସଫଳ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ।

ଆଜିର ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ । ତେବେ କଟକ ଓ ଭୁବନେଶ୍ୱରରେ ଏହି ବନ୍ଦ ଡ଼ାକରା ବିଶେଷ ରୂପେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

 

ରାଜଧାନୀ ଭୁବନେଶ୍ୱରରେ ସକାଳ ୬ଟା ଠାରୁ କଂଗ୍ରେସ କର୍ମୀମାନେ ସହରର ଜନବହୁଳ ମାଷ୍ଟର କ୍ୟାଣ୍ଟିନ୍ ଛକ, ବାଣୀ ବିହାର ଛକ, ସତସଙ୍ଗ ବିହାର ଛକ ଠାରେ ପିକେଟିଂ କରିବା ଆରମ୍ଭ କରିଥିଲେ । ସେହିପରି ସିପିଏମ କର୍ମୀମାନେ ଆଚାର୍ଯ୍ୟବିହାର ଛକରେ ରାସ୍ତା ଅବରୋଧ କରିଛନ୍ତି । ବରମୁଣ୍ଡା ବସଷ୍ଟାଣ୍ଡରେ ଶହ ଶହ ଯାତ୍ରୀ ଯାନବାହାନକୁ ଅପେକ୍ଷା କରିଥିବା ଦେଖାଯାଇଛି । ଏହି ବନ୍ଦ ଯୋଗୁଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଉପ କୂଳପତି ସମସ୍ତ ପରୀକ୍ଷାକୁ ବାତିଲ୍ କରିଦେଇଛନ୍ତି ।

ସେହିପରି କଟକରେ ବନ୍ଦର ପ୍ରଭାବ ଯୋଗୁଁ ସାଧାରଣ ଜୀବନଯାତ୍ର୍ା ବାଧାପ୍ରାପ୍ତ ହୋଇଛି । କଂଗ୍ରେସ କର୍ମୀମାନେ ଜନବହୁଳ ବାଦାମବାଡ଼ି ବସଷ୍ଟାଣ୍ଡରେ ଚାରିପଟରେ ରାସ୍ତା ଅବରୋଧ କରି ଯାନବାହନକୁ ଛାଡ଼ି ନାହାନ୍ତି । ଏପରିକି କଟକ ଷ୍ଟେନନରେ ହାୱଡ଼ା-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସକୁ କଂଗ୍ରେସ କର୍ମୀମାନେ ଅଟକାଇ ଦେଇଛନ୍ତି ।

ପିପିଲିର ତୃଣମୂଳ କଂଗ୍ରେସର ନେତ୍ରୀ ତଥା ସାଂସଦ ସୁଦୀପ୍ତା ବନ୍ଦୋପାଧ୍ୟାୟଙ୍କ ଗାଡ଼ିକୁ କଂଗ୍ରେସ କର୍ମୀମାନେ ତେଇଶପୁର ନିକଟସ୍ଥ ୩୧୬ ନଂ ଜାତୀୟ ରାଜପଥରେ ଅଟକାଇ ରଖିଛନ୍ତି । ଏହି ବନ୍ଦ ପ୍ରଭାବରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି ।

କଂଗ୍ରେସ କର୍ମୀମାନେ ମଧ୍ୟ ସମ୍ବଲପୁର, ବଲାଙ୍ଗୀର ଓ ବାଲେଶ୍ୱର ବାଲେଶ୍ୱର ଜିଲ୍ଲାରେ ବନ୍ଦ ପାଳନ କରିଛନ୍ତି । ଭଦ୍ରକରେ କଂଗ୍ରେସ ଓ ସିପିଏମ କର୍ମୀମାନେ ମିଳିତ ଭାବେ ପିକେଟିଂ କରି ଜାତୀୟ ରାଜପଥ ଅବରୋଧ କରୁଥିବା ଦେଖାଯାଇଛି ।

କଳାହାଣ୍ଡିରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ବିଭିନ୍ନ ରାସ୍ତା ମଝିରେ ଟାୟାର ଜାଳି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି । ଅନୁଗୁଳର ନାଲକୋ ଛକଠାରେ ଆନ୍ଦୋଳନକାରୀମାନେ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ଯାନବାହନ ଛାଡୁନାହାନ୍ତି ।

ଆଜିର ଏହି ବନ୍ଦ ପାଳନକୁ ସମର୍ଥନ କରି କେନ୍ଦ୍ରାପଡ଼ାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି, ସେହିପରି ଜଗତସିଂହପୁରର ବସଷ୍ଟାଣ୍ଡରେ କଂଗ୍ରେସ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି ।

ସେହିପରି ନବରଙ୍ଗପୁର ଗୁଣପୁରର ବାଇପାସ ନିକଟରେ ରାସ୍ତା ଅବରୋଧ କରି ଆନ୍ଦୋଳନକାରୀମାନେ ବନ୍ଦ ପାଳନ କରିଛନ୍ତି ।

ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି । କଂଗ୍ରେସ ଓ ସିପିଏମ କର୍ମୀମାନେ ମିଳିତ ଭାବେ ବଣେଇ ଓ ସୁନ୍ଦରଗଡ଼ରେ ବନ୍ଦ ପାଳନ କରିଛନ୍ତି ।

ସାରା ବାଲେଶ୍ୱର ଜିଲ୍ଲାରେ ସିପିଏମ ଓ କଂଗ୍ରେସ କର୍ମୀମାନେ ମିଳିତ ଭାବେ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି । ବାଲେଶ୍ୱରର ଫକିରମୋହନ ଗୋଲେଇ ଓ ଷ୍ଟେସନ ବଜାର ନିକଟରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଛନ୍ତି । ସୋରରେ ଆନ୍ଦୋଳନକାରୀମାନେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ରାୟଗଡ଼ା ଜିଲ୍ଲାରେ ବନ୍ଦ ସମ୍ପୂର୍ଣ୍ଣ ରୂପେ ପାଳନ ହୋଇଛି । ଜିଲ୍ଲାର ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ, ରାୟଗଡ଼ା ଆଦି ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

କନ୍ଧମାଳ ଜିଲ୍ଲାରେ କଂଗ୍ରେସକର୍ମୀମାନେ ବାଲିଗୁଡ଼ାର ୫୯ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକରେ ବନ୍ଦ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି ।

ଏହି ବନ୍ଦ ପାଳନ ଯୋଗୁଁ ରେଳ ସେବା ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି ।

Leave A Reply

Your email address will not be published.