Latest Odisha News

ଦଳରେ କୋଣଠେସା ନେଇ ଚର୍ଚ୍ଚା ବେଳେ ଅମିତ ଶାହଙ୍କୁ ଭେଟିଲେ ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ନିକଟରେ ଦଳୀୟ କାର୍ଯ୍ୟକ୍ରମରେ ଉପେକ୍ଷିତ ହୋଇଥିବା ନେଇ ପରୋକ୍ଷରେ କହିଥିବା କଟକ ସାଂସଦ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହାପରେ ସେ ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

୬ ଥର ଲୋକସଭା ସାଂସଦ ହୋଇଥିବା ସେ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟିଥିବା କୁହାଯାଉଛି। ଉଭୟ ନେତା କେନ୍ଦ୍ର ସରକାରଙ୍କ ନୀତି ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଶାହ ସରକାରୀ ଭାଷା ସଂକ୍ରାନ୍ତ ସଂସଦୀୟ କମିଟିର ସଭାପତି ଥିବା ବେଳେ ଭର୍ତ୍ତୃହରି ଏହାର ଉପାଧ୍ୟକ୍ଷ ଅଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଭର୍ତ୍ତୃହରି ନିଜ ଦଳରୁ ଦୂରେଇ ରହିବା ପରେ ବିଜେପିର ନିକଟତର ହେଉଛନ୍ତି। ନିକଟ ଅତୀତରେ ଘଟିଥିବା ଅନେକ ଘଟଣା ‘ଉପଯୁକ୍ତ’ ମୁହୂର୍ତ୍ତରେ ସେ ବିଜେପିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଛି। କିଛି ଦିନ ହେବ ସେ ବିଜେଡିର ମୂଳ ନେତୃତ୍ୱଠାରୁ ଦୂରରେ ଅଛନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

୨୦୨୩ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିବା ଓଡ଼ିଶାର ଏହି ବରିଷ୍ଠ ନେତାଙ୍କ ପାଇଁ ବିଜେପି ମଧ୍ୟ ନରମ ଆଭିମୁଖ୍ୟ ସୃଷ୍ଟି କରିଥିବା ଜଣାପଡିଛି। ଯଦିଓ ଭର୍ତ୍ତୃହରି ସେତେବେଳେ ମୋଦୀଙ୍କ ସହ ସାକ୍ଷାତକୁ କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଥିଲେ, ତଥାପି ସେ ବିଜେପିର ନିକଟତର ହେଉଥିବା କୁହାଯାଉଛି।

ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ କଟକ ଆସନରୁ ବିଜେଡି ତାଙ୍କୁ କ୍ରମାଗତ ସପ୍ତମ ଥର ପାଇଁ ପ୍ରାର୍ଥୀ କରିବ କି ନାହିଁ ତାହାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି।

ସୂଚନାଯୋଗ୍ୟ, ୨୦୨୨ ମସିହାରେ କଟକରେ ଭର୍ତ୍ତୃହରି ସମ୍ପାଦନା କରିଥିବା ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେପି ନେତୃତ୍ୱଙ୍କ ସହ ତାଙ୍କର ବଢୁଥିବା ଘନିଷ୍ଠତା ଯୋଗୁଁ ତାଙ୍କ ଦଳ ବଦଳିବାର ସମ୍ଭାବନାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ନିକଟରେ ଆୟୋଜିତ ଖବରକାଗଜର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗ ଦେଇଥିଲେ।

ଭର୍ତ୍ତୃହରି ଅନେକ ଥର ସମ୍ପାଦକୀୟ ଲେଖି କିମ୍ବା ନବୀନ ପଟ୍ଟନାୟକ ସରକାରଙ୍କ ନିଷ୍ପତ୍ତି ଓ ବିଜେଡିର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇ ବୟାନ ଦେଇ ବିବାଦ ସୃଷ୍ଟି କରିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ବିଜେଡି ଗଠନ ହେବା ପରେ ୧୯୯୮ ମସିହାରୁ ଲଗାତାର ୬ ଥର କଟକ ଲୋକସଭା ଆସନରୁ ବିଜୟୀ ହୋଇ ଆସୁଛନ୍ତି ଏହି ବରିଷ୍ଠ ନେତା। ଜାତୀୟ ସ୍ତରରେ ସେ ଜଣେ ରାଜନେତା ଭାବମୂର୍ତ୍ତି ବଜାୟ ରଖିଥିଲେ ହେଁ କଟକରେ ଶାସକ ବିଜେଡିର ସ୍ଥାନୀୟ ୟୁନିଟ୍ ଭିତରେ ଗୋଷ୍ଠୀକନ୍ଦଳ ତାଙ୍କ ସମର୍ଥକ ଭିତ୍ତିଭୂମିକୁ ପ୍ରଭାବିତ କରିଥିବା ଜଣାପଡିଛି।

ଅନ୍ୟପକ୍ଷରେ ଆଗାମୀ ନିର୍ବାଚନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ବୈଷ୍ଣବ ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗ ଦେଇ ସାରିଛନ୍ତି। ନିକଟରେ ମନ୍ତ୍ରୀ କଟକର ଆଠଗଡ଼, ତିଗିରିଆ ଓ ବଡ଼ମ୍ବା ଅଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ବୈଠକରେ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ପ୍ରଦାନ କରିଥିଲେ।

Comments are closed.