Latest Odisha News

BREAKING NEWS

ଭୁବନେଶ୍ୱରକୁ ‘ପୂର୍ବାଞ୍ଚଳର ଶ୍ରେଷ୍ଠ ସ୍ମାର୍ଟ ସିଟି’ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ଇଣ୍ଡିଆ ସ୍ମାର୍ଟ ସିଟି କନକ୍ଲେଭ୍ 2023ରେ ‘ପୂର୍ବାଞ୍ଚଳର ଶ୍ରେଷ୍ଠ ସ୍ମାର୍ଟ ସିଟି’ ପୁରସ୍କାର ମିଳିଛି। ନବସୃଜନ, ସ୍ଥାୟିତ୍ୱ ଏବଂ ସମାବେଶୀ ସହରାଞ୍ଚଳ ବିକାଶ ପ୍ରତି ସହରର ଅବିଶ୍ୱାସନୀୟ ସମର୍ପଣ ଉପରେ ଆଲୋକପାତ କରି ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇନ୍ଦୋରରେ ମେୟର ସୁଲୋଚନା ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏଥିସହ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପ୍ରକଳ୍ପରେ ହନିବେଲ ଅଟୋମେସନର ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ୱରକୁ ପାର୍ଟନର ଏମ୍ଏସ୍ଆଇ ପୁରସ୍କାର ମିଳିଛି। ହନିବେଲର ନବସୃଜନ ପ୍ରତି ପ୍ରତିବଦ୍ଧତା ଏବଂ ସ୍ମାର୍ଟ ସିଟି ପଦକ୍ଷେପକୁ ଆଗକୁ ନେବାରେ ଉତ୍କର୍ଷତା ସମୁଦାୟ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି।

ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ଇଣ୍ଡିଆ ସ୍ମାର୍ଟସିଟି କନକ୍ଲେଭ 2023ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ, ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍)ର ମହାପ୍ରବନ୍ଧକ ସୁବ୍ରତ କୁମାର ବେହେରା ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଭୁବନେଶ୍ୱର ନିଜକୁ ଏକ ଆଧୁନିକ ମହାନଗରରେ ପରିଣତ କରିଛି ଯେଉଁଥିରେ ସମାବେଶିତା ଓ ଗୋଷ୍ଠୀଗତ ସହଭାଗିତାକୁ ଗୁରୁତ୍ୱ ଦିଆଯାଇଛି। ଏହାର ସ୍ମାର୍ଟ ସିଟି ପଦକ୍ଷେପ ସହରାଞ୍ଚଳ ଯୋଜନା, ଭିତ୍ତିଭୂମି ବିକାଶ ଏବଂ ନିରନ୍ତରତା କ୍ଷେତ୍ରରେ ନବସୃଜନ ଆଣିଛି। ପଥଚାରୀଙ୍କ ପାଇଁ ଅନୁକୂଳ ରାସ୍ତାଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା ଯାଏଁ ଭୁବନେଶ୍ୱରର ସ୍ମାର୍ଟ ସଲ୍ୟୁସନ୍ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଞ୍ଚାଇ ରଖିବା ସହିତ ଏହାର ବାସିନ୍ଦାଙ୍କ ଜୀବନଧାରଣର ମାନକୁ ବୃଦ୍ଧି କରିଛି।

ବିଏମସି କମିସନର ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, “ଏହି ସ୍ବୀକୃତି ଉଦ୍ଭାବନ, ନିରନ୍ତରତା ଏବଂ ସମାବେଶୀ ସହରାଞ୍ଚଳ ବିକାଶ ପ୍ରତି ଆମର ଅବିଚଲ ପ୍ରତିବଦ୍ଧତାର ପ୍ରମାଣ। ଏହା ଆମର ସମର୍ପିତ ଟିମ୍, ଆମର ଦୂରଦୃଷ୍ଟି ସମ୍ପନ୍ନ ସହଯୋଗୀ ଏବଂ ଆମ ସମୁଦାୟର ସାମୂହିକ ଭାବନାର ଅକ୍ଲାନ୍ତ ପ୍ରୟାସକୁ ପ୍ରତିଫଳିତ କରୁଛି। ଭୁବନେଶ୍ୱର ସ୍ମାର୍ଟ ସିଟି କେବଳ ଏକ ପ୍ରକଳ୍ପ ନୁହେଁ; ଏହା ଏକ ପରିକଳ୍ପନାକୁ ଜୀବନ୍ତ କରିଛି। ଆମେ ଏକ ଆଧୁନିକ, ସୁଲଭ ଏବଂ ଲୋକାଭିମୁଖୀ ପରିବେଶ ସୃଷ୍ଟି କରିବା ପାଇଁ ଆମର ମିଶନରେ ଅବିରତ ରହିଛୁ ଯାହା ଆମ ବାସିନ୍ଦାଙ୍କ ଜୀବନକୁ ସମୃଦ୍ଧ କରିବ ଏବଂ ଭାରତରେ ସହରାଞ୍ଚଳ ବିକାଶ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିବ।”

ବିଏସସିଏଲର ଏମଡି ବଲବନ୍ତ ସିଂହ ଟିମ ସ୍ମାର୍ଟ ସିଟିକୁ ଏହି ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିବା ପାଇଁ ନିରନ୍ତର ପ୍ରୟାସ ଏବଂ ସମର୍ପଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.