ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଟେନିସ ସେଂଟରରେ ଚାଲିଥିବା ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ୨୦୨୪ରେ ଓଡିଶାର କବୀର ହନ୍ସ ଓ ତାଙ୍କ ସାଥୀ ରିଷବ ଅଗ୍ରୱାଲ ଅଳ୍ପକେ ଚାମ୍ପିୟନ ହେବାରୁ ରହି ଯାଇଛନ୍ତି । ପୁରୁଷ ଡବଲ୍ସରେ ସେମାନେ ରନର୍ସପଅ ହୋଇଛନ୍ତି । ଫାଇନାଲ ମୁକାବିଲାରେ ସେମାନେ ଇଗର ଆଗାଫୋନୋଭ ଓ ବୋଗଡାନ ବୋବରୋଭଙ୍କ ନିକଟରୁ ୪-୬ ଓ ୩-୬ ସିଧାସଳଖ ସେଟରେ ପରାଜିତ ହୋଇଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିବା କବୀର ଏବଂ ତାଙ୍କ ସାଥୀ ଶେଷ ହର୍ଡଲ୍ସ ପାର କରିପାରି ନ ଥିଲେ । ଯାହାକି ସ୍ଥାନୀୟ ପ୍ରଶଂସକଙ୍କୁ ନିରଶ କରିଛି ।
ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଭାରତର ଆର୍ଯ୍ୟନ ଶାହ ୦-୬ ଓ ୪-୬ ସେଟରେ ଟପସିଡ ଚେକ ରିପବ୍ଲିକର ଡାଲିବୋର ଭର୍ସିନିଆଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଆମେରିକାର ନିକ ଚ୍ୟାପେଲ ୬-୨ ଓ ୬-୩ରେ ବୋବରୋଭଙ୍କୁ ପରାସ୍ତ କରିଥିଲେ । ଏହା ପରେ ପରେ ବୋବରୋଭ ପୁରୁଷ ଡବଲ୍ସରେ ଅଂଶଗ୍ରହଣ କରି ଟାଇଟଲ ହାସଲ କରିଥିଲେ । ସିଙ୍ଗଲ୍ସ ଫାଇନାଲ ରବିବାର ଖେଳାଯିବ ।
Comments are closed.