Latest Odisha News

ୱାକଫ୍ (ସଂଶୋଧନ) ବିଲ୍ ପାଇଁ ଗଠିତ ଜେପିସିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ୱାକଫ୍ ସଂଶୋଧନ ବିଲ୍-୨୦୨୪ର ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି)ରେ ଓଡ଼ିଶାର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୧ ଜଣିଆ କମିଟିରେ ଲୋକସଭାରେ ଭୁବନେଶ୍ୱରରୁ ପ୍ରତିନିଧିତ୍ୱ କରୁଥିବା ଅପରାଜିତା ହେଉଛନ୍ତି ଓଡ଼ିଶାର ଏକମାତ୍ର ସାଂସଦ। ଅପରାଜିତା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କୃତଜ୍ଞତା ଜ୍ଞାପନ କରି ଲେଖିଛନ୍ତି, “ଲୋକସଭାରେ ‘ୱାକଫ୍ (ସଂଶୋଧନ) ବିଲ୍, ୨୦୨୪’ ଉପରେ ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ହୋଇ ମୁଁ ଗର୍ବ ଅନୁଭବ କରୁଛି।

ଜେପିସିରେ ଉଭୟ ରାଜ୍ୟସଭା ଓ ଲୋକସଭାର ସଦସ୍ୟ ରହିଛନ୍ତି। ଓ୍ଵାକଫ୍ ସଂଶୋଧନ ବିଲକୁ ଅଧିକ ଯାଞ୍ଚ ପାଇଁ ଜେପିସିକୁ ପଠାଇବାକୁ ପ୍ରସ୍ତାବ ଆସିବାର ଦିନକ ପରେ ଏହି କମିଟି ଗଠନ କରାଯାଇଛି। ସଂସଦରେ ଏହି ବିଲକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବିରୋଧୀ ଏହାକୁ ମୁସଲମାନ ବିରୋଧୀ ବୋଲି ଆଖ୍ୟା ଦେଇଛନ୍ତି।

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଅଗଷ୍ଟ ୮ ରେ ଲୋକସଭାରେ ଏହି ବିଲ୍ ଆଗତ କରିଥିଲା। ଯାହା ଜୁନ୍ ରେ ମୋଦୀ ୩.୦ କ୍ୟାବିନେଟ୍ ଗଠନ ପରେ ପ୍ରଥମ ବଡ଼ ବିଲ୍। ଏହି ବିଲକୁ କଡ଼ା ସମାଲୋଚନା କରିବା ସହ ଏହା ମୁସଲମାନ ବିରୋଧୀ ବୋଲି କହିଛି ଇଣ୍ଡିଆ ମେଂଟ।

ଯଦି ୱାକଫ୍ (ସଂଶୋଧନ) ବିଲ୍ ପାରିତ ହୁଏ, ତେବେ ଓ୍ଵାକଫ୍ ବୋର୍ଡର କାର୍ଯ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଏହି ବିଲରେ ୧୯୯୫ ର ୱାକଫ୍ ଆଇନରେ ଯଥେଷ୍ଟ ସଂଶୋଧନ ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ୱାକଫ୍ ବୋର୍ଡରେ ମୁସଲମାନ ମହିଳା ଏବଂ ଅଣ-ମୁସଲମାନଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ ।

Comments are closed.