Latest Odisha News

BREAKING NEWS

ଇଣ୍ଡୋନେସିଆରେ ବିଜୁ ହଲର ଲୋକାର୍ପଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: ଇଣ୍ଡୋନେସିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱରୋତ୍ତୋଳନ କରିବାକୁ ବହୁଦଳୀୟ ସଂସଦୀୟ ପ୍ରତିନିଧି ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇଣ୍ଡୋନେସିଆର ଓଡ଼ିଆ ସମାଜକୁ ଭେଟିଛନ୍ତି।

ଏହି ଅବସରରେ ଇଣ୍ଡୋନେସିଆର ଭାରତୀୟ ଦୂତାବାସରେ ସେଠାକାର ଭୂମିପୁତ୍ର ତଥା ଓଡ଼ିଶାର ବର ପୁତ୍ର, କିମ୍ୱଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ହଲର ଲୋକାର୍ପଣ କରିଛନ୍ତି। ଏଥିସହ ବିଜୁ ପଟ୍ଟନାୟକଙ୍କର ଏକ ଫଳକକୁ ଉନ୍ମୋଚିତ କରିଛନ୍ତି ଅପରାଜିତା। ଏନେଇ ‘ଏକ୍ସ’ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି ଇଣ୍ଡୋନେସିଆସ୍ଥିତ ଭାରତୀୟ ଦୂତାବାସ।

ଓଡ଼ିଶା ସହ ଇଣ୍ଡୋନେସିଆର ବହୁ ପୁରାତନ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ରହିଆସିଛି। ୧୯୫୧ରେ ଯେତେବେଳେ ଭାରତରେ ପ୍ରଥମ ସାଧାରଣତନ୍ତ୍ର ଦିବସ ପାଳିତ ହେଲା, ସେତେବେଳେ ତତ୍କାଳୀନ ଇଣ୍ଡୋନେସିଆ ରାଷ୍ଟ୍ରପତି ଆମର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଡଚ୍ ମାନଙ୍କ ସହ ୧୯୪୭ରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର କିମ୍ୱଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ଏଠାକୁ ଆସି ଇଣ୍ଡୋନେସିଆର ନେତାମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଆଉ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଛନ୍ତି ଅପରାଜିତା। ଯାହାଫଳରେ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆ ସରକାର ବିଜୁ ପଟ୍ଟନାୟକଙ୍କୁ ସେଠାକାର ସର୍ବଶ୍ରେଷ୍ଠ ପୁରଷ୍କାର ବିଙ୍ଗଟଙ୍ଗ୍ ଯଶ ଉତ୍ତମ ଏବଂ ଇଣ୍ଟୋନେସିଆର ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲେ ବୋଲି କହିଛନ୍ତି ଅପରାଜିତା।

ସେହିପରି ଓଡ଼ିଶାର ସାଧବ ପୁଅମାନେ କିଭଳି ନୈବାଣିଜ୍ୟ ଦ୍ୱାରା ସେଠାକାର ଜାଭା, ସୁମାତ୍ରା, ସ୍ୱର୍ଣ୍ଣଦ୍ୱୀପ, ବାର୍ଲି ସହ ସମ୍ପର୍କ ସ୍ଥାପନ କରିଥିଲେ ତାହାକୁ ମଧ୍ୟ ମନେ ପକାଇ ଦେଇଛନ୍ତି । ଯାହାର ପ୍ରତୀକ ସ୍ୱରୂପ ବର୍ତ୍ତମାନ ଓଡ଼ିଶାରେ ପ୍ରତିବର୍ଷ ବାଲିଯାତ୍ରା ଆୟୋଜିତ ହୋଇଆସୁଛି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ। ତେବେ ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ନେଇ ଭାରତର ପକ୍ଷ ରଖିବାକୁ ଅପରାଜିତାଙ୍କ ସହ ଏକ ପ୍ରତିନିଧି ଦଳ ଜାପାନ, କୋରିଆ ରିପବ୍ଲିକ, ସିଙ୍ଗାପୁର ପରେ ଇଣ୍ଡୋନେସିଆରେ ଆସି ପହଞ୍ଚିଛନ୍ତି। ଆଉ ପରେ ସେମାନେ ମାଲେସିଆ ଯିବେ। ଆମ ପଡ଼ୋଶୀ ଦେଶ ପାକିସ୍ତାନ, ଭାରତ ବିରୋଧରେ ଏକ ମିଛ ପ୍ରୋପାଗଣ୍ଡା ସୃଷ୍ଟି କରିବା ସହ ସାରା ବିଶ୍ୱକୁ ଭାରତ ବିରୋଧରେ ମିଛ ଅପପ୍ରଚାର କରୁଛି। ଯାହାକି ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ମଳିନ କରୁଛି। ତେଣୁ ସାରା ବିଶ୍ୱକୁ ସତ କଣ ଜଣାଇବାକୁ ସେମାନେ ବିଭିନ୍ନ ଦେଶ ଭ୍ରମଣରେ ଯାଇଥିବା କହିଛନ୍ତି ଭୁବନେଶ୍ୱର ସାଂସଦ।

 

Comments are closed.