ଭୁବନେଶ୍ଵର: ରାଜ୍ୟସ୍ତରୀୟ ଡଃ ମନମୋହନ ସିଂହ ସ୍ମୃତି କମିଟି ପକ୍ଷରୁ ଆବାହକ ମାନସ ଚୌଧୁରୀଙ୍କ ପୌରହିତ୍ୟରେ ମଙ୍ଗଳବାର ଜୟଦେବ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ତାଙ୍କ ସ୍ମୃତିରେ ଏହି ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥିମାନେ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ଏହି ଅବସରରେ ଭଜନ ପରିବେଷଣ ସହ ତାଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ପ୍ରାର୍ଥନା କରାଯାଇଥିଲା।
ଭୁବନେଶ୍ୱର ଗୁରୁଦ୍ୱାର ସିଂ ସଭାର ପ୍ରତିନିଧ ସତପାଲ ସିଂହ ଓ ଏମ୍.ଏସ୍. କାସି ଏଠାରେ ଉପସ୍ଥିତ ରହି ସ୍ୱର୍ଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଭାରେ ଉପସ୍ଥିତ ଅତିଥିବୃନ୍ଦ ସ୍ଵର୍ଗତ ମନମୋହନ ସିଂହଙ୍କ ନୀର୍ତି ଓ କୃତ୍ତି ଉପରେ ବିଶଦ ଆଲୋକପାତ କରିଥିଲେ । ସ୍ୱର୍ଗତ ସିଂହଙ୍କ ବ୍ୟକ୍ତିତ୍ଵ, ୧୦ ବର୍ଷର ପ୍ରଧାନମନ୍ତ୍ରୀତ୍ଵ କାଳ ଅର୍ଥମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟଦକ୍ଷତା, ଜୀବନ ସଂଘର୍ଷ ଓ ସଫଳତା ଉପରେ ସମ୍ମାନିତ ବକ୍ତାମାନେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ଆଜିର ପାକିସ୍ତାନର ଗଛ ଠାରୁ ଦିଲ୍ଲୀର ନିଗମ ବୋର୍ଡ଼ର ଘାଟ ପର୍ଯ୍ୟନ୍ତ ଏକ ଦୀର୍ଘପଥ ଯାତ୍ରାରେ ସମାଜ ପାଇଁ ବିଶେଷକରି ଭାରତବାସୀଙ୍କ ପାଇଁ ଯେଉଁ ସେବା ଅର୍ପଣ କରିଛନ୍ତି, ସେଥିପାଇଁ ସେ ଚିର ସ୍ମରଣୀୟ ରହିବେ। ସେ ଥିଲେ ଭାରତବର୍ଷରେ ଉଦାରବାଦର ଜନକ ବା ପ୍ରବର୍ତ୍ତକ। ସେ ନରସିଂହ ରାଓଙ୍କ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲାବେଳେ ନିଜର ସୂକ୍ଷ୍ମ ବିଚାର ପାଇଁ ବିଶ୍ଵର ଆର୍ଥକ ମାନ୍ଦାବସ୍ଥାରୁ ଭାରତକୁ ମୁକ୍ତ କରିପାରିଥିଲେ।
ସେ ତାଙ୍କର ୧୦ ବର୍ଷର ପ୍ରଧାନମନ୍ତ୍ରୀତ୍ବ କାଳରେ ସାଧାରଣ ଜନତାଙ୍କ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଲୋକଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧୁକାର ଦେବା ପାଇଁ ସେ ବିଶେଷକରି ଯୋଜନା ପ୍ରଣୟନ କରୁଥିଲେ। ଦେଶରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ଏବଂ ସରକାରଙ୍କ ଶାସନ ବିଷୟରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବା ଲକ୍ଷ୍ୟରେ ସେ ପ୍ରଣୟନ କଲେ ସୂଚନା ଅଧିକାର ଆଇନ୍। ଏଥିରେ ଜଣେ ସାଧାରଣ ମଣିଷ ରାଷ୍ଟ୍ର ଶାସନର ସମସ୍ତ ଗହନ କଥା ଜାଣିବା ପାଇଁ ଅଧିକାରପ୍ରାପ୍ତ ହେଲା । କ୍ଷୁଧାମୁକ୍ତ ଭାରତ ନିର୍ମାଣ ପାଇଁ ସେ ପ୍ରଣୟନ କରିଥିଲେ ‘ଖାଦ୍ୟ ନିରାପତ୍ତା ଆଇନ୍’ ଯେଉଁଥରେ ୮୦ କୋଟି ଲୋକ ଅନ୍ତର୍ଭୁକ୍ତ ହେଲେ, ସହରର ୫୦ ପ୍ରତିଶତ ଏବଂ ଗାଁର ୭୫ ପ୍ରତିଶତ ଲୋକ ଏହି ଯୋଜନା ବଳରେ ରାସନ ସାମଗ୍ରୀ ପାଇପାରିଥିଲେ ।
ସେହିପରି ଉତ୍କଟ ବେକାରୀରୁ ନିସ୍ତାର ପାଇବା ପାଇଁ ସେ ପ୍ରଣୟନ କରିଥିଲେ ମହାତ୍ମା ଗାନ୍ଧୀ ନରେଗା ଯୋଜନା। ଏହି ଯୋଜନା ବଳରେ ଗ୍ରାମାଞ୍ଚଳର ଲୋକଙ୍କ ହାତକୁ କାମ ଯୋଗାଇ ଦିଆଗଲା । ଉପେକ୍ଷିତ ଏବଂ ଅବହେଳିତ ବନବାସୀ ଓ ଆଦିବାସୀମାନଙ୍କ ପାଇଁ ସେ ପ୍ରଣୟନ କରିଥିଲେ ଯୁଗାନ୍ତକାରୀ ଜଙ୍ଗଲ ଅଧୁକାର ଆଇନ । ଏପରିକି ଉଠାଦୋକାନୀମାନଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ନିୟନ୍ତ୍ରଣ ଆଇନ- ୨୦୧୪ ଆଇନ ପ୍ରଣୟନ କରିଥିଲେ । ସ୍ୱାସ୍ଥ୍ୟସେବାରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ସେ ପ୍ରଣୟନ କରିଥିଲେ। ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ଅଧିକାର ଦେବାକୁ ସେ ବ୍ୟବସ୍ଥା କରିଥିଲେ ଶିକ୍ଷା ଅଧିକାର ଆଇନ।
ପାକିସ୍ତାନର ଗହର ସାଧାରଣ ଉର୍ଦୁ ବିଦ୍ୟାଳୟରୁ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ ଏବଂ ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟରୁ ପାଠପଢା ସାରି ସେ ଅଧ୍ୟାପନା କରିବା ସହ ଦେଶରେ ଏବଂ ବିଶ୍ଵରେ ଅର୍ଥନୀତି କ୍ଷେତ୍ରରେ ବହୁ ସମ୍ମାନଜନକ ପଦବୀରେ କାର୍ଯ୍ୟ କରିବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ହୋଇଥିଲେ। ଅତ୍ୟନ୍ତ ନମ୍ର, ବିଚାରଚନ୍ତ, ଆଚରଣ ଶୁଦ୍ଧ ଓ ବିଶାଳ ହୃଦୟର ମଣିଷ ଥିଲେ ଡଃ ମନମୋହନ ସିଂହ। ସମାଜସେବା ଏବଂ ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସେ ପ୍ରେରଣାଦାୟୀ ପୁରୁଷ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡ଼ିର ଅମର ପଟ୍ଟନାୟକ ଓ ଲେନିନ୍ ମହାନ୍ତି, ସିପିଏମର ଦୁଷ୍ମନ୍ତ ଦାସ, ସିପିଆଇର ରାମକୃଷ୍ଣ ପଣ୍ଡା ଓ ଆଶିଷ କାନୁନଗୋ, ସିପିଆଇ (ଏମ୍-ଏଲ) ଲିବରେସନର ଯୁଧୁଷ୍ଠିର ମହାପାତ୍ର, ଆମ୍ ଆଦମୀ ପାର୍ଟିର ସଞ୍ଜୀବ ଦାସ, ଫରୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ଅର୍ଥନୀତି ବିଶାରଦ ଦିଲ୍ଲୀପ ବିଶୋୟୀ, ରାଜୀବ ସାହୁ, ଅମର ପ୍ରଧାନ, ଶରତ ରାଉତ, ସ୍ବାସିର ନଓ୍ବାଜ, ସିପ୍ରା ମଲ୍ଲିକ, ଅଖଲେଶ ଯାଦବ, ସତ୍ୟପ୍ରକାଶ ନାୟକ ପ୍ରମୁଖ ସ୍ବର୍ଗତ ସିଂହଙ୍କର ସ୍ମୃତିଚାରଣ କରିଥିଲେ । ଅମିୟ ପାଣ୍ଡବ ପ୍ରାରମ୍ଭିକ ଭାଷଣ ଦେବା ସହ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ଵଜିତ ଦାସ, ପୂର୍ବତନ ବିଧାୟକ ସମୀର ରାଉତରାୟ, ରବୀନ୍ଦ୍ର ମଲ୍ଲିକ, ମନୋଜ ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ମହମ୍ମଦ ଇନ୍ଦାଦ, ନାରାୟଣ ଜେନା, ଯୋଗୀନାଥ ବାହୁବଳେନ୍ଦ୍ର, ମହମ୍ମଦ ଗୁଲଫାମ୍, ଆଲୋକ ଦାସ, ବିଶ୍ୱ ଦାସ, ବିଜୟାନନ୍ଦ ଚାଉଳିଆ, ମନୋଜ ବିଶ୍ଵାଳ, ଶିଶିର ରଥ, ଆକବର ଖାନ, ଦୀପକ ମହାପାତ୍ର, ସସ୍ମିତା ପଣ୍ଡା, ରାହୁଳ ମହାନ୍ତି, ବଟକୃଷ୍ଣ ରାଉତରାୟ, ରାମଚନ୍ଦ୍ର ଗୋଚ୍ଛାୟତ, ଦେବେନ୍ଦ୍ର ସାହୁ, ରଣଜିତ ସେନାପତି, ନିହାର ବେହେରା, ସୁଦୀପ ସାମଲ, ଅଳୟ ସାହୁ, ସ୍ଵାଗତ କର, ଗୋପନ ମାର୍ଥା, ଅଶୋକ ଦାସ, ସୁବ୍ରତ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।