Latest Odisha News

BREAKING NEWS

ବିନା ଲାଇସେନ୍ସରେ ଚାଲିଛି ଓଲା, ଉବେର ଟାକ୍ସି; ଆରଟିଓ ଅଧିକାରୀ ଦେଲେ ଥାନାରେ ଏତଲା

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ବିନା ଲାଇସେନ୍ସରେ ବାଇକ୍ ଟ୍ୟାକ୍ସି ଚଳାଇଥିବା ଓଲା, ଉବେର, ରାପିଡୋ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

ଆରଟିଓ ବିକାଶ ଚନ୍ଦ୍ର ଚୌଧୁରୀ କହିଛନ୍ତି, ଏଗ୍ରିଗେଟରମାନେ କେବଳ ପରିବହନ ଗାଡ଼ି ବ୍ୟବହାର କରିପାରିବେ। କିନ୍ତୁ ବିନା ଲାଇସେନ୍ସରେ ଓଲା, ଉବେର, ରାପିଡୋ ଜାଣିଶୁଣି ଅଣ ପରିବହନ ଦୁଇ ଚକିଆ ଯାନ (ବାଇକ ଟ୍ୟାକ୍ସି) ବ୍ୟବହାର କରୁଛନ୍ତି। ଆରଟିଓ ପକ୍ଷରୁ ଏହି ସବୁ କମ୍ପାନୀକୁ ନୋଟିସ୍ ଜାରି କରାଯିବା ସହ କମିସନର ସ୍ତରରେ ଆଲୋଚନା କରାଯାଇଥିଲେ ମଧ୍ୟ ତାହା ପାଳନ କରାଯାଉନାହିଁ।

ସହରର ବିଭିନ୍ନ ବ୍ୟବସାୟିକ ଯାନ ସଂଘ ମଧ୍ୟ ଘରୋଇ ମୋଟର ସାଇକେଲକୁ ବ୍ୟବସାୟିକ କାମରେ ନିୟୋଜିତ କରୁଥିବା ଏଗ୍ରିଗେଟରଙ୍କ ବିରୋଧରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହି ସମସ୍ୟାକୁ ନେଇ ସ୍ଥାନୀୟ ଅଟୋ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଏହି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆରଟିଓ ପକ୍ଷରୁ ସନ୍ଦୀପ କୁମାର ଚୌଧୁରୀ (ଓଲା), ଦୀପକ ପଲାଇ (ଉବେର) ଓ ଲାଲାଜୀ ଚୌଧୁରୀ (ରାପିଡୋ)ଙ୍କୁ ଲିଖିତ ନିର୍ଦ୍ଦେଶ ଦିଆଯାଇଛି। ସହିଦ୍ ନଗର ଥାନାରେ କରାଯାଇଥିବା ଅଭିଯୋଗରେ କୁହାଯାଇଛି ଯେ ମୋଟର ଯାନ ଆଇନର ଜାଣିଶୁଣି ଉଲ୍ଲଂଘନ କରି ବାରମ୍ବାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବାରୁ ଉପରୋକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଏ ନେଇ ପୁଲିସ ଆରଟିଓଙ୍କ ଠାରୁ ସମସ୍ତ ଆନୁସଙ୍ଗିକ କାଗଜପତ୍ର ମାଗିଥିବା ବେଳେ ଯାଞ୍ଚ ପରେ ଏହି ଅନଲାଇନ୍ ଏଗ୍ରିଗେଟର ସଂସ୍ଥାଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.