Latest Odisha News

BREAKING NEWS

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ, ମୋଦୀ ସମେତ ବାଇଡେନ ଏବଂ ଅନ୍ୟାନ୍ୟ ନେତା କଲେ ନିନ୍ଦା

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏକ ସାଧାରଣ ସଭାରେ ଉଦବୋଧନ ଦେଉଥିବା ବେଳେ ହଠାତ୍ ତାଙ୍କ ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ, ଏହା ପରେ ସିଞ୍ଜୋ ଆବେ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ତାଙ୍କୁ ହୃଦଘାତ ହୋଇଥିବା ନେଇ ସୂଚନା ରହିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ସିଞ୍ଜୋ ଆବେଙ୍କ ଉପରକୁ ଆକ୍ରମଣ ପରେ ସାରା ବିଶ୍ୱର ନେତାମାନେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହିତ ଆକ୍ରମଣକୁ ନିନ୍ଦା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ଆକ୍ରମଣ ପରେ କହିଛନ୍ତି, ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ମୁଁ ଗଭୀର ଭାବେ ମର୍ମାହତ । ସାରା ଭାରତବର୍ଷର ଭାବନା ଏବଂ ପ୍ରାର୍ଥନା ତାଙ୍କ ସହିତ ରହିଛି। ତାଙ୍କ ପରିବାର ଏବଂ ଜାପାନବାସୀଙ୍କ ସହ ମୋର ସମବେଦନା ରହିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଗୁଳିମାଡ଼ରେ ସେ ମର୍ମାହତ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ କହିଛନ୍ତି। ବ୍ରିଟେନର କେୟାର ଟେକର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଜାପାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ରାମ ଇମାନୁଏଲ ସିଞ୍ଜୋ ଆବେଙ୍କୁ ଜଣେ ମହାନ ନେତା ଏବଂ ଆମେରିକାର ଜଣେ ମହାନ ବନ୍ଧୁ ବୋଲି ସେ କହିଛନ୍ତି। ଏଥିସହ ଆକ୍ରମଣକୁ ନିନ୍ଦା କରିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମର୍ମାହତ ବୋଲି ଆମେରିକା ରାଷ୍ଟ୍ରପତିଙ୍କ ଅଫିସ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି।

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି ଯେ ଏହି ଆକ୍ରମଣ ଅତ୍ୟନ୍ତ ବର୍ବର ଏହାକୁ ବରଦାସ୍ତ କରାଯିବ ନାହିଁ। ତେବେ କେଉଁ କାରଣ ପାଇଁ ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ହୋଇଛି ତାହା ଜଣାପଡିନି ।

Leave A Reply

Your email address will not be published.