Latest Odisha News

ଗମ୍ଭୀରଙ୍କ ନିକଟରେ ରହିଛି ଏହି ସବୁ ବଡ ଚ୍ୟାଲେଞ୍ଜ

ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର କୋଚ ନିଯୁକ୍ତ କରାଯାଇଛି । କୋଚିଂରେ ଅନଭିଜ୍ଞ ଗମ୍ଭୀର କିଭଳି ଭାରତୀୟ କ୍ରିକେଟକୁ ଆଗକୁ ନେବେ ସେଥିପ୍ରତି ନଜର ରହିବ । କୋଚ ରାହୁଲ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ଦୀର୍ଘ ଦିନ ପରେ ଟି୨୦ ବିଶ୍ୱକପ ଜିତିଛି । ଏହା ପରେ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଡ୍ରାଭିଡଙ୍କ ସ୍ଥାନରେ ଗମ୍ଭୀର ଏହି ଦାୟିତ୍ୱ ୨୦୨୭ ପର୍ଯ୍ୟନ୍ତ ତୁଲାଇବେ । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଆଗକୁ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବ ।

ଶ୍ରୀଲଙ୍କ ବିପକ୍ଷ ସିରିଜ ଏତେଟା ଚିନ୍ତାଜନକ ନ ଥିବା ବେଳେ ଉପରୋକ୍ତ ୩ ସିରିଜରେ ଭଲ ପ୍ରଦର୍ଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ଏହି ସିରିଜଗୁଡିକରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ଘରୋଇ ସିରିଜ ଖେଳିବ । ଅଷ୍ଟ୍ରେଲିଆକୁ ତାଙ୍କ ମାଟିରେ ହରାଇବା ଗମ୍ଭୀରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ଏହି ସିରିଜ ଚୂଡାନ୍ତ କରିବ ଭାରତ ତୃତୀୟ ଥର ପାଇଁ ଫାଇନାଲକୁ ଯିବ କି ନାହିଁ ।

୨୦୨୫ରୁ ୨୭ ପର୍ଯ୍ୟନ୍ତ ଭାରତ ପୂନର୍ବାର ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ପରିବେଶରେ ମଧ୍ୟ ଟେଷ୍ଟ ସିରିଜ ଖେଳିବ । ୨୦୨୭ ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଏଥିରେ ଭଲ ପ୍ରଦର୍ଶନ ଜରୁରୀ ।

ସେହିପରି ୩ ବର୍ଷ ମଧ୍ୟରେ ଭାରତ ୫ଟି ଆଇସିସି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବ । ସେଗୁଡିକ ହେଲା- ଚାମ୍ପିୟନ୍ସ ଟ୍ରଫି, ଟି୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ, ଟି୨୦ଏସିଆ କପ, ଦିନିକିଆ ଏସିଆ କପ ଓ ୨ଟି ଡବ୍ଲ୍ୟୁଟିସି ଫାଇନାଲ ସାମିଲ । ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ନୂଆ ଟି୨୦ର ମଜଭୁତ ଟିମ ପ୍ରସ୍ତୁତ କରିବା ପାଇଁ ଗମ୍ଭୀରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ଆଇପିଏଲରେ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର ୨ଥର ଏବଂ ମେଂଟର ଭାବେ ଥରେ ଦଳକୁ ଚାମ୍ପିୟନ କରାଇଥିବାରୁ ଏକ ଶକ୍ତିଶାଳୀ ଟିମ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲି ଆଶା କରାଯାଉଛି ।

ସିନିୟର ଖେଳାଳିଙ୍କ ସହ ତାଳମେଳ ରଖିବା ଗମ୍ଭୀରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ । ପ୍ରାୟ ସମସ୍ତ ସିନିୟର ଖେଳାଳି ଟେଷ୍ଟ ଏବଂ ଦିିନକିଆ ଖେଳିବା ଜାରୀ ରଖିବେ । ମୂଖ୍ୟତଃ ରୋହିତ, କୋହଲି, ରବିଚନ୍ଦ୍ରନ ଅଶ୍ୱୀନ ଓ ଜାଡେଜାଙ୍କ ସେ କେଉଁ ଧରଣର କେମେଷ୍ଟ୍ରି ରଚୁଛନ୍ତି ତାହା ଦେଖିବା କଥା । ଏହା ପରେ ଏମାନଙ୍କ ବିକଳ୍ପ ଖେଳାଳି ଚୟନ କରିବା ମଧ୍ୟ ଆଉ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବ ।

୩ଟି ଯାକ ଫର୍ମାଟରେ ଭଲ ନେତୃତ୍ୱ ବାଛିବା ଗମ୍ଭୀରଙ୍କ ସବୁଠାରୁ ବଡ ଗୁରୁ ଦାୟିତ୍ୱ । ବାରମ୍ବାର ଅଲଗା ଅଲଗା ଅଧିନାୟକ ନେଇ ଆଲୋଚନା ହେଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ । ୨୦୦୮ ପରଠାରୁ ଏମଏସ ଧୋନୀ, ୨୦୧୭ରୁ କୋହଲି ଓ ୨୦୨୨ରୁ ରୋହିତ ୩ଟି ଯାକ ଫର୍ମାଟରେ ଦଳର ନେତୃତ୍ୱ ନେଇଥିଲେ । ଡ୍ରାଭିଡ କୋଚ ଭାବେ ଆଶାନୁରୂପ ସଫଳତା ହାସଲ କରିଥିବାରୁ ଗମ୍ଭୀରଙ୍କ ରଣକୌଶଳ ଉପରେ ନିଶ୍ଚିତ ଭାବେ କ୍ରିକେଟପ୍ରେମୀଙ୍କ ନଜର ରହିବ ।

Comments are closed.