Latest Odisha News

BREAKING NEWS

ତାମିଲନାଡୁ ବିଜେପିରେ ବଡ଼ ପରିବର୍ତ୍ତନ, ଆନ୍ନାମଲାଇ ଛାଡ଼ିଲେ ସଭାପତି ପଦ

ଚେନ୍ନାଇ: ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ହଲଚଲ ବଢ଼ିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ତାମିଲନାଡୁ ସଭାପତି ଏ. ଏନ୍. ଆନ୍ନାମଲାଇ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିକୁ ନେଇ ବେଶ୍ ଚର୍ଚ୍ଚା ଚାଲିଥିଲା। ଅନ୍ନାମଲାଇଙ୍କ ଏହି ପଦକ୍ଷେପ ପରେ ନୈନାର ନାଗେନ୍ଦ୍ରନ ନୂଆ ସଭାପତି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଶୁକ୍ରବାର ଦିନ କୋୟମ୍ବାଟୁରରେ ଗଣମାଧ୍ୟମ ସହ କଥା ହୋଇ ଅନ୍ନାମଲାଇ ସ୍ପଷ୍ଟ କରିଛନ୍ତି ଯେ ସେ ତାମିଲନାଡୁ ବିଜେପିର ନେତୃତ୍ୱ ଦୌଡ଼ରେ ନାହାନ୍ତି। ସେ କହିଛନ୍ତି, “ବିଜେପିରେ କୌଣସି ପ୍ରତିଯୋଗିତା ନାହିଁ। ଆମେ ସମସ୍ତେ ମିଶି ଏକାଠି ହୋଇ ନେତା ବାଛିବୁ। ମୁଁ ଏହି ଦୌଡ଼ରେ ନାହିଁ। ମୋ ମତରେ ଦଳକୁ ଆହୁରି ଶକ୍ତିଶାଳୀ କରିବା ଦରକାର।” ସେ ଆହୁରି କହିଛନ୍ତି ଯେ ବିଜେପି ଏକ ଏମିତି ଦଳ, ଯେଉଁଠି ଭଲ ଲୋକମାନେ ଆସି କାମ କରିପାରିବେ ଏବଂ ଏହା ପାଇଁ ଅନେକେ ନିଜ ଜୀବନ ଦେଇଛନ୍ତି।

ଆନ୍ନାମଲାଇଙ୍କ ଇସ୍ତଫା ପଛରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ଅନ୍ନାଦ୍ରାମୁକ (ଏଆଇଏଡିଏମକେ) ମଧ୍ୟରେ ମେଣ୍ଟ ଗଠନ ହେବାର ସମ୍ଭାବନା ଏକ ବଡ଼ କାରଣ ହୋଇପାରେ। ନିକଟରେ ଏଆଇଏଡିଏମକେର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାସଚିବ କେ. ପଲାନୀସ୍ୱାମୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି ଯେ ୨୦୨୬ରେ ଏଆଇଏଡିଏମକେ ପୁଣି ଥରେ ଏନଡିଏ ସହ ହାତ ମିଳାଇପାରେ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମକେ ଏନଡିଏ ସହ ମେଣ୍ଟ ଭାଙ୍ଗି ଦେଇଥିଲା। ଅଭିଯୋଗ ଥିଲା ଯେ ଅନ୍ନାମଲାଇ ଏଆଇଏଡିଏମକେ ନେତାମାନଙ୍କୁ ଅପମାନ କରିଥିଲେ। ଏହି ମେଣ୍ଟ ଭାଙ୍ଗିବା ଫଳରେ ବିଜେପି ରାଜ୍ୟରେ କୌଣସି ଆସନ ଜିତି ପାରି ନଥିଲା। ଏଆଇଏଡିଏମକେ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲା। ଏବେ ୨୦୨୬ ନିର୍ବାଚନ ଯେତେ ପାଖେଇ ଆସୁଛି, ତେଣୁ ଅନୁମାନ କରାଯାଉଛି ଯେ ବିଜେପି ଓ ଏଆଇଏଡିଏମକେ ପୁଣି ଏକାଠି ହୋଇପାରନ୍ତି।

ଆନ୍ନାମଲାଇଙ୍କ ଇସ୍ତଫା ଓ ବିଜେପି-ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ସମ୍ଭାବନା ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବାର ସଙ୍କେତ ଦେଉଛି। ଏବେ ଦେଖିବାର କଥା ଯେ ଏହି ଦୁଇ ଦଳ ନିର୍ବାଚନ ପାଇଁ କିପରି ରଣନୀତି ପ୍ରସ୍ତୁତ କରୁଛନ୍ତି।

Comments are closed.