ନୂଆଦିଲ୍ଲୀ: ‘ଆଲିଙ୍ଗନ’କୁ ନେଇ ବାକ୍ ଯୁଦ୍ଧ!
ବିଦେଶ ନୀତି ଉପରେ ରାହୁଲଙ୍କ ଟିପ୍ପଣୀ
ବିଜେପି କହିଲା, ‘ଭାରତୀୟ ରାଜନୀତିର ସବୁଠୁ ବଡ଼ ବୋଝ’
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ନୀତିକୁ ନେଇ ରାହୁଲ ଗାନ୍ଧୀଙ୍କ ଏକ ଟିପ୍ପଣୀ ଏବେ ବିଜେପି-କଂଗ୍ରେସ ମଧ୍ୟରେ ନୂଆ ବିବାଦକୁ ଜନ୍ମ ଦେଇଛି। ବିଦେଶ ନୀତିକୁ ନେଇ କହୁଥିବା ବେଳେ ରାହୁଲ ମଜାଳିଆ ଢଙ୍ଗରେ ‘ନେତାଙ୍କୁ ଆଲିଙ୍ଗନ କରିବା’ ପ୍ରସଙ୍ଗ ଉଠାଇବା ପରେ ବିଜେପି ତାଙ୍କୁ ତୀବ୍ର ଟାର୍ଗେଟ କରିଛି।
ଦିଲ୍ଲୀରେ ଆୟୋଜିତ ‘ରଚନାତ୍ମକ କଂଗ୍ରେସ ନ୍ୟାସନାଲ କନଭେନସନ୍’ରେ ରାହୁଲ ଗାନ୍ଧୀ କହିଥିଲେ ଯେ, ମୋଦି ସରକାରଙ୍କ ବିଦେଶ ନୀତିରେ କେବଳ ବିଦେଶୀ ନେତାଙ୍କୁ ଆଲିଙ୍ଗନ କରିବା ଦେଖିବାକୁ ମିଳୁଛି। ନିଜ କଥା ବୁଝାଇବା ପାଇଁ ସେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କୁ ଆଲିଙ୍ଗନ କରି ଏହାକୁ ମୋଦି ସରକାରଙ୍କ ବିଦେଶ ନୀତି ସହ ତୁଳନା କରିଥିଲେ। ଏହାପରେ ଦୀକ୍ଷିତ ମଧ୍ୟ ମଜାଳିଆ ଢଙ୍ଗରେ କହିଥିଲେ, “ମେଲୋନି ବୋଲି ଭାବି ଧରିନଥିଲ ତ?” ଏଠାରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନାଁ ଉଲ୍ଲେଖ କରିଥିଲେ। ଯାହାଙ୍କ ସହିତ ପ୍ରାୟତଃ ପିଏମ୍ ମୋଦିଙ୍କ ମେଲୋଡି ହ୍ୟାସଟ୍ୟାଗ୍ ବେଶ୍ ଭାଇରାଲ ହୁଏ ।
‘ଆଲିଙ୍ଗନ’କୁ ନେଇ ହୋଇଥିବା ଏହି ମଜାକ ଏବେ ରାଜନୈତିକ ବିବାଦର ରୂପ ନେଇଛି। ଏହାକୁ ନେଇ ବିଜେପି ନେତାମାନେ ରାହୁଲଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ବିଜେପି ମୁଖପାତ୍ର ସିଆର୍ କେଶବନ ରାହୁଲ ଗାନ୍ଧୀଙ୍କୁ ‘ଭାରତୀୟ ରାଜନୀତିର ସବୁଠୁ ବଡ଼ ବୋଝ’ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାହୁଲଙ୍କ ଏଭଳି ଟିପ୍ପଣୀ ସଂସଦର ମର୍ଯ୍ୟାଦାକୁ ହ୍ରାସ କରୁଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାହୁଲଙ୍କୁ ନେତା ଭାବେ ଗ୍ରହଣ କରିବା କଂଗ୍ରେସ ପାଇଁ ମଧ୍ୟ ଏକ ଦୁଃଖଦ ପରିସ୍ଥିତି। ସେହିପରି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଓ ସନ୍ଦୀପ ଦୀକ୍ଷିତଙ୍କ ମନ୍ତବ୍ୟ ଏକ ସାଧାରଣ ‘ଲକର୍-ରୁମ୍ କଥାବାର୍ତ୍ତା’ଠାରୁ ମଧ୍ୟ ଅଧିକ ଚିନ୍ତାଜନକ ବିଷୟକୁ ସାମ୍ନାକୁ ଆଣିଛି।
ଅନ୍ୟପକ୍ଷରେ କଂଗ୍ରେସ ରାହୁଲଙ୍କ ମନ୍ତବ୍ୟକୁ ସମର୍ଥନ କରିଛି। କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି ଯେ, ଲୋକସଭାର ବିରୋଧୀ ଦଳ ନେତା ଭାବେ ରାହୁଲ କେବଳ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ସମୟରେ କିପରି ଅନ୍ୟ ନେତାଙ୍କ ସହ ଆଚରଣ କରୁଛନ୍ତି, ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି।
ରାହୁଲଙ୍କ ଏହି ଟିପ୍ପଣୀ ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍ଯୁଦ୍ଧ ଆହୁରି ତୀବ୍ର ହୋଇଛି। ଗୋଟିଏ ପଟେ ବିଜେପି ରାହୁଲଙ୍କ ମନ୍ତବ୍ୟକୁ ଅସଂସ୍କୃତ ଓ ଅମର୍ଯ୍ୟାଦାଜନକ ବୋଲି କହୁଥିବା ବେଳେ, କଂଗ୍ରେସ ଏହାକୁ ସରକାରଙ୍କ ବିଦେଶ ନୀତି ଉପରେ ବିରୋଧୀ ଦଳର ପ୍ରଶ୍ନ ବୋଲି କହିଛି। ଯାହାକୁ ନେଇ ପୁଣି ସରଗରମ ହୋଇଛି ଜାତୀୟ ରାଜନୀତି ।
