Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା: ଭାଇ ଜଗା-ବଳିଆ ପିନ୍ଧିଲେ ସୁନାଭଉଣୀ ସୁଭଦ୍ରାଙ୍କ ରାକ୍ଷୀ

ପୁରୀ: ଭାରତୀୟ ପରମ୍ପରାରେ ଆଜିର ଦିନଟିକୁ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳିତ ହୋଇଥାଏ । ଆଜି ଓଡ଼ିଶାର ପୁରପଲ୍ଲୀରେ ଏହି ପବିତ୍ର ଦିନରେ ଓଡ଼ିଆ ଝିଅମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ଆଜି ଏହି ରାକ୍ଷୀ ପୂର୍ଣ୍ଣିମା ଦିବସଟି ଗହ୍ମାପୂର୍ଣ୍ଣିମା ଭାବେ ପାଳିତ ହେଉଛି ।

ଆଜି ହେଉଛି ମଧ୍ୟ ଶ୍ରୀଜଗନ୍ନାଥଙ୍କ ବଡ଼ଭାଇ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମତିଥି । ଆଜି ରୋହିଣୀଙ୍କ ଗର୍ଭରୁ ଶ୍ରୀବଳରାମ ଜନ୍ମଗ୍ରହଣ କରିଥିଲେ । ପାରମ୍ପରିକା ନୀତି ଅନୁସାରେ ଶ୍ରୀମନ୍ଦିରରେ ଆଜି ପାଟରା ବିଶୋଇ ସେବକମାନେ ଏହି ପାରମ୍ପରିକ ଉତ୍ସବର ଦାୟିତ୍ୱ ତୁଲାଇଛନ୍ତି । ସାନଭଉଣୀ ସୁଭଦ୍ରା ‘ପାଟରାକ୍ଷୀ’ ପିନ୍ଧାଇଛନ୍ତି ବଡ଼ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ।

ଶ୍ରୀମନ୍ଦିରରେ ଭାଇ-ଭଉଣୀଙ୍କ ପବିତ୍ର ମଧୁର ସମ୍ପର୍କକୁ ନେଇ ହିଁ ପ୍ରସିଦ୍ଧ ରଥଯାତ୍ରାର ସୃଷ୍ଟି । ଦେବୀ ସୁଭଦ୍ରା ନୀଳ, ନାଲୀ ଓ ବାଇଗଣି ରଙ୍ଗର ପାଟରାକ୍ଷୀ ବାନ୍ଧିଛନ୍ତି ତାଙ୍କ ବଡ଼ଭାଇ ଶ୍ରୀବଳଭଦ୍ରଙ୍କ ହାତରେ, ସେହିପରି ହଳଦିଆ ପାଟରାକ୍ଷୀକୁ ବାନ୍ଧିଛନ୍ତି ଶ୍ରୀଜଗନ୍ନାଥଙ୍କୁ ।

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କୁ ବାସୁଙ୍ଗା ପାଟ କପଡ଼ା ଯୋଗାଇ ଦିଆଯାଇଥାଏ । ଏହି କନାରେ ସେବକ ତିଆରି କରନ୍ତି ପାଟ ରାକ୍ଷୀ ଶ୍ରୀଜୀଉମାନେ ପିନ୍ଧିବାକୁ । ଚିତାଲାଗି ଅମାବାସ୍ୟାରୁ ଏହି ରାକ୍ଷୀ ତିଆରି ଆରମ୍ଭ କରିଥାନ୍ତି ସେବକମାନେ । ଶ୍ରୀଜଗନ୍ନାଥ ଯେଉଁ ବୃହତ ରାକ୍ଷୀଟି ଆଜି ପିନ୍ଧନ୍ତି ସେହି ରାକ୍ଷୀଟି ବିଶ୍ୱର ସବୁଠୁ ବଡ଼ ରାକ୍ଷୀ ଯେଉଁଟିକୁ ପାରମ୍ପରିକ ରୀତିନୀତିରେ ପିନ୍ଧାଯାଇଥାଏ ।

ଆଜି ମଧ୍ୟାହ୍ନ ଧୂପ ପରେ ବିଜେନୀତି ପରେ ଶ୍ରୀବଳଭଦ୍ର, ମଦନମୋହନଙ୍କୁ ଦେବୀ ସୁଭଦ୍ରା ରାକ୍ଷୀ ବାନ୍ଧିଛନ୍ତି । ଦେବୀ ସୁଭଦ୍ରା ମଧ୍ୟ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପାଟରାକ୍ଷୀ ବାନ୍ଧିଥାଆନ୍ତି । ଏହି ପାଟରାକ୍ଷୀଟିକୁ ଶ୍ରୀକ୍ଷେତ୍ରର ପାଟରା ସେବକମାନେ ଭକ୍ତିର ସହିତ ତିଆରି କରିଥାଆନ୍ତି । ଏହି ପ୍ରଚଳିତ ପ୍ରଥା ଅନେକଦିନରୁ ଶ୍ରୀମନ୍ଦିରରେ ନୀତିକାନ୍ତିର ସହିତ ପାଳିତ ହୋଇ ଆସୁଛି ।

Leave A Reply

Your email address will not be published.