Latest Odisha News

BREAKING NEWS

ବିଶ୍ୱକପରେ ବିପର୍ଯ୍ୟୟ

ନୂଆଦିଲ୍ଲୀ: ଏମିତି ତ କ୍ରିକେଟ ଅନିଶ୍ଚିତ ଖେଳ ଭାବେ ବିବେଚିତ । ବାରମ୍ବାର ଏହା ପ୍ରମାଣିତ ହୋଇଛି । ଆଉ କ୍ରିକେଟର ସ୍ଲାମବାଙ୍ଗ୍ ବା ଟି- ୨୦ ଫର୍ମାଟ୍ ତ ଆହୁରି ଅନିଶ୍ଚିତ । ଏହି ଫର୍ମାଟରେ ଶକ୍ତିଶାଳୀ ଦଳ ବି ଅପେକ୍ଷାକୃତ ଦୁର୍ବଳ ଦଳ ଆଗରେ ହାର ମାନନ୍ତି । ଆଉ ଯଦି ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟ ହୋଇଥାଏ, ତାହେଲେ ତ ଫଳାଫଳ ନେଇ କୌଣସି ଅନୁମାନ ନକରିବା ହିଁ ଭଲ ।

ଚଳିତ ଟି-୨୦ ବିଶ୍ୱକପ୍ କ୍ରିକେଟରେ ଦେଖିବାକୁ ମିଳିଛି କିଛି ଅପ୍ରତ୍ୟାଶିତ , ଓଲଟ ପାଲଟ ଫଳାଫଳ । ଶକ୍ତିଶାଳୀ ଓ ଟାଇଟଲ ଫେଭରିଟ ଟିମକୁ ଚକମା ଦେଇଛନ୍ତି ଅଣ୍ଡରଡଗ୍ ଟିମ୍ । କିନ୍ତୁ ଫଟାଫଟ୍ ଫର୍ମାଟରେ କୌଣସି ଟିମକୁ ଅଣ୍ଡରଡଗ୍ କହିବା ବୋଧହୁଏ ଭୁଲ ହେବ ।

ଚଳିତ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ସୁପର ଏଇଟ୍ ପର୍ଯ୍ୟାୟରେ ଆଫଗାନିସ୍ତାନ ଟିମ୍ ବଡ ଧରଣର ଓଲଟପାଲଟ କରି ପୂର୍ବତନ ଚାମ୍ପିଅନ ତଥା ଟାଇଟଲ ଦାବିଦାର ଅଷ୍ଟ୍ରେଲିଆକୁ ୨୧ ରନରେ ମାତ ଦେଇ ନିଜର ସେମିଫାଇନାଲ ଆଶା ବଜାୟ ରଖିଛି । ଏକଦିବସୀୟ ହେଉ ଓ ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଛି ଆଫଗାନିସ୍ତାନ । ଯେକୌଣସି ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ଟି-୨୦ ବିଶ୍ୱକପ ଇତିହାସରେ ଏହା ଏକ ବଡ ଧରଣର ବିପର୍ଯ୍ୟୟ । ଆଉ ପ୍ରଥମ ଥର ପାଇଁ ଏଭଳି ହୋଇନାହିଁ । କିନ୍ତୁ ଅଷ୍ଟ୍ରେଲିଆ ବିରୋଧରେ ଆଫଗାନିସ୍ତାନର ବିଜୟ ମଦର ଅଫ୍ ଅଲ୍ ଅପସେଟ୍ସ ବୋଲି କୁହାଯାଉଛି ।
ଟି-୨୦ ବିଶ୍ୱକପରେ କିଛି ଅପ୍ରତ୍ୟାଶିତ ଫଳାଫଳ ଉପରେ ନଜର ପକାଇବା ।

ପାକିସ୍ତାନକୁ ହରାଇଲା ଆମେରିକା , ୨୦୨୪ ଟି-୨୦ ବିଶ୍ୱକପ୍
ଚଳିତ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ହିଁ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଅପ୍ରବାସୀ ଭାରତୀୟଙ୍କ ସମେତ ବିଦେଶୀ ଜନ୍ମିତ ଖେଳାଳିଙ୍କୁ ନେଇ ଗଠିତ ସହ ଆୟୋଜକ ଆମେରିକା ପାକିସ୍ତାନକୁ ହରାଇ ବଡ ଧରଣର ଓଲଟପାଲଟ କରିଥିଲା । ସୁପରଓଭରରେ ରୋମାଂଚକର ବିଜୟ ହାସଲ କରିଥିଲା ଆମେରିକା ।

ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ଆଫଗାନିସ୍ତାନ
ଏହି ବିଶ୍ୱକପର ଆଉ ଏକ ଗ୍ରୁପ ମ୍ୟାଚରେ ମଧ୍ୟ ଅପ୍ରତ୍ୟାଶିତ ଫଳାଫଳ ଆସିଥିଲା । ଟାଇଟଲ ଦୌଡରେ ଥିବା ନ୍ୟୁଜିଲାଣ୍ଡ ଭଳି ଟିମକୁ ୮୪ ରନରେ ମାତ୍ ଦେଇଥିଲା ଜିଆଂଟ୍ କିଲର ଆଫଗାନିସ୍ତାନ ।

ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡ ବିଜୟୀ , ୨୦୨୨ ଟି-୨୦ ବିଶ୍ୱକପ୍
୨୦୨୨ ଟି-୨୦ ବିଶ୍ୱକପରେ ଦୁଇଟି ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା । ଶକ୍ତିଶାଳୀ ଇଂଲଣ୍ଡକୁ ପରାସ୍ତ କରିଥିଲା ଆୟର୍ଲାଣ୍ଡ୍ । ଅବଶ୍ୟ ବର୍ଷା ଆୟର୍ଲାଣ୍ଡର ବିଜୟରେ କିଛିଟା ସହାୟକ ହୋଇଥିଲା । ଡକୱର୍ଥ ଲୁଇସ ନିୟମରେ ଇଂଲଣ୍ଡକୁ ୫ ରନରେ ହରାଇଥିଲା ଆୟର୍ଲାଣ୍ଡ୍ ।

ଶ୍ରୀଲଙ୍କାକୁ ମାତ୍ ଦେଲା ନାମ୍ବିଆ , ୨୦୨୨ ଟି-୨୦ ବିଶ୍ୱକପ୍
୨୦୨୨ ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ସୃଷ୍ଟି କରିଥିଲା ନାମ୍ବିଆ । ୨୦୧୪ ଚାମ୍ପିଅନ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା ଆଫ୍ରିକୀୟ ଟିମ୍ । ନାମ୍ବିଆଠାରୁ ୫୫ ରନରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା ଶ୍ରୀଲଙ୍କା ।

ୱେଷ୍ଟଇଣ୍ଡିଜକୁ ହରାଇଲା ଆଫଗାନିସ୍ତାନ,୨୦୧୬ ଟି-୨୦ ବିଶ୍ୱକପ୍
୨୦୧୬ରେ ଭାରତରେ ଆୟୋଜିତ ହୋଇଥିଲା ଟି-୨୦ ବିଶ୍ୱକପରେ ଚାମ୍ପିଅନ ହୋଇଥିଲା ୱେଷ୍ଟଇଣ୍ଡିଜ୍ । କିନ୍ତୁ ନକ୍‌ଆଉଟ୍ ରାଉଣ୍ଡ ପୂର୍ବରୁ ଖେଳାଯାଇଥିବା ସୁପର -୧୦ ପର୍ଯ୍ୟାୟରେ ଆଫଗାନିସ୍ତାନଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିଲା ଇଣ୍ଡିଜ୍ ଟିମ୍ । ମାତ୍ର ୬ ରନରେ କାରିବିୟାନ ଟିମକୁ ହରାଇଥିଲା ଆଫଗାନିସ୍ତାନ ।

ଇଂଲଣ୍ଡକୁ ହରାଇଲା ନେଦରଲ୍ୟାଣ୍ଡସ ,ଟି-୨୦ ବିଶ୍ୱକପ୍‌, ୨୦୦୯
୨୦୦୯ରେ ଇଂଲଣ୍ଡରେ ଆୟୋଜିତ ହୋଇଥିବା ଟି-୨୦ ବିଶ୍ୱକପର ଦ୍ୱିତୀୟ ସଂସ୍କରଣରେ ଘରୋଇ ଦଳକୁ ମାତ୍ ଦେଇଥିଲା ଅରେଂଜ୍ ଟିମ୍ । କ୍ରିକେଟର ମକ୍କା ଭାବେ ପରିଚିତ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏକ ଲିଗ୍ ମ୍ୟାଚରେ ଆୟୋଜକ ଇଂଲଣ୍ଡକୁ ଝଟକା ଦେଇଥିଲା ନେଦରଲ୍ୟାଣ୍ଡ୍‌ସ । ମ୍ୟାଚର ଶେଷ ବଲରେ ହୋଇଥିଲା ଫଇସଲା । ନାଟକୀୟ ଭାବେ ଇଂଲଣ୍ଡର ୧୬୪ ରନର ବିଜୟ ଲକ୍ଷ୍ୟକୁ ଶେଷ ବଲରେ ହାସଲ କରିଥିଲା ନେଦରଲାଣ୍ଡସ । ଏକ ଓଭର ଥ୍ରୋ’ର ଫାଇଦା ଉଠାଇ ବିଜୟସୂଚକ ରନ୍ ସ୍କୋର କରିବା ସହ ଏକ ରୋମାଂଚକର ବିଜୟ ହାସ କରିଥିଲା ଡଚ୍ ଟିମ୍ ।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

 

Leave A Reply

Your email address will not be published.