Latest Odisha News

ମୁଖ୍ୟ ସ୍ରୋତରେ ଥିବା ଗଣମାଧ୍ୟମ ନିଜ ପାଇଁ ନିଜେ ବିପଦ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ମୁଖ୍ୟ ସ୍ରୋତରେ ଥିବା ବଡ଼ ବଡ଼ ଗଣମାଧ୍ୟମ ଗୁଡ଼ିକୁ ନୂତନ ଡିଜିଟାଲ ପ୍ଲାଟଫର୍ମ ପକ୍ଷରୁ କୌଣସି ଆହ୍ୱାନ ସୃଷ୍ଟି କରାଯାଇ ନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବିପଦ। ଏହା କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ଠାକୁର ।  ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ନୂଆଦିଲ୍ଲୀ ଠାରେ ଉଦଘାଟନ ଅବସରରେ ଶ୍ରୀ ଠାକୁର ଏହା କହିଛନ୍ତି ।

ବାସ୍ତବ ସାମ୍ବାଦିକତା ସତ୍ୟର ଉନ୍ମୋଚନ କରେ ଏବଂ ଗଣମାଧ୍ୟମ ଗୁଡ଼ିକ ସେହି ସତ୍ୟକୁ ପ୍ରକାଶ କରିବା ଉଚିତ । ଗଣମାଧ୍ୟମ ଆଲୋଚନା ଗୁଡ଼ିକର ସବୁକଥାକୁ ଏକପାଖିଆ ବିଶ୍ଳେଷଣ କରୁଥିବା ଏବଂ ମିଛ କଥା କହୁଥିବା ସାମ୍ବାଦିକମାନେ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛନ୍ତି । ଦର୍ଶକମାନଙ୍କ ଚକ୍ଷୁରେ ଆଲୋଚନାର ଅତିଥି ଓ ସେମାନଙ୍କ ଗର୍ଜନର ଦୃଶ୍ୟ ଗଣମାଧ୍ୟମର ବିଶ୍ୱସନୀୟତାର ମୂଲ୍ୟାୟନ ହୋଇ ଯାଉଛି । ଗୋଟାଏ ମିନିଟ ପାଇଁ ଏହି ଦୃଶ୍ୟ ଦେଖିବାକୁ ଦର୍ଶକ ଅଟକି ରହୁଛନ୍ତି; କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଚାନେଲର ଉପସ୍ଥାପକ, ଚାନେଲ, ତଥ୍ୟର ଉତ୍ସ ଆଦି ଲୋକଙ୍କ ବିଶ୍ୱାସ ହରାଉଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି ।

ଏହି ସମ୍ମିଳନୀର ଆଲୋଚ୍ୟ ପ୍ରସଙ୍ଗ ‘ମହାମାରୀ ପରବର୍ତ୍ତୀ ସମୟରେ ପ୍ରସାରଣର ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଉପରେ ଆଲୋଚନା କରି ସାମ୍ବାଦିକତାର ମୁଖ୍ୟ ସ୍ରୋତରେ ପ୍ରସାରଣ ଗଣମାଧ୍ୟମ ଗୁଡ଼ିକ ରହିଥିଲେ ମଧ୍ୟ କୋଭିଡ-୧୯ ଏହାର ନୀତି ନିର୍ଦ୍ଧାରଣ ପରିସରକୁ ନୂତନ ରୂପ ଦେଇଛି । ସମୟଭିତ୍ତିକ ନିର୍ଭୁଲ ସୂଚନା ଦ୍ୱାରା କୋଟି କୋଟି ଜୀବନ ରକ୍ଷା କରାଯାଇ ପାରିବା ଶିଖାଇଛି  ବୋଲି ଶ୍ରୀ ଠାକୁର କହିଛନ୍ତି ।

ୟୁନେସ୍କୋ ନେତୃତ୍ୱରେ ୧୯୭୭ ମସିହାରେ ଏସୀୟ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ ସ୍ଥାପନ କରାଯାଇଥିଲା । ଏହି ସଂଗଠନ ଏସିଆ ମହାଦେଶ ଏବଂ ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ଦେଶଗୁଡ଼ିକର ଅର୍ଥନୀତି ଏବଂ ସାମାଜିକ ସ୍ଥିତିକୁ ବୈଦୁ୍ୟତିକ ଗଣମାଧ୍ୟମ ଗୁଡ଼ିକରେ ପ୍ରସାରଣ କରିଥାଏ । ଏଥିରେ ୨୬ଟି ରାଷ୍ଟ୍ରର ୪୩ଟି ସଂଗଠନର ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ୫ଠଟି ସଂଗଠନର ସ୍ୱୀକୃତିପ୍ରାପ୍ତ ସଦସ୍ୟ ରହିଛନ୍ତି । ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପୂର୍ଣ୍ଣକାଳୀନ ସଦସ୍ୟ ଅଛି ।

Comments are closed.