Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବା ନେଇ ଆଶାବାଦୀ ତିଲୋତ୍ତମା

ବରଗଡ଼: ଧାମନଗର ପରେ ଏବେ ସମସ୍ତଙ୍କ ଆଖି ପଦ୍ମପୁର ଉପନିର୍ବାଚନ ଉପରେ । ଅନୁକମ୍ପା ଭୋଟରେ ବିଜେପି ବିଜୟୀ ହୋଇ ଆସନକୁ ବଜାୟ ରଖିଥିବା ବେଳେ ପଦ୍ମପୁରରେ କଣ ହେବ ? ବିଜେଡି ଅନୁକମ୍ପା କାର୍ଡ ଖେଳି ଦିବଙ୍ଗତ ବିଧାୟକଙ୍କ ସ୍ତ୍ରୀ ତିଲୋତ୍ତମା ବରିହାଙ୍କୁ ପ୍ରାର୍ଥୀ କରିବ କି ନାହିଁ ସେନେଇ ଦଳ ଘୋଷଣା କରିନି ।

କିନ୍ତୁ ଦିବଙ୍ଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଲୋତ୍ତମା ବିଜେଡି ପ୍ରାର୍ଥୀ ହେବା ନେଇ ଆଶାବାଦୀ ଅଛନ୍ତି । ପ୍ରତିକ୍ରିୟା ରଖି ଗଣମାଧ୍ୟମକୁ କହିଛନ୍ତି, ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛି । ଆଶା ଅଛି, ମୁଖ୍ୟମନ୍ତ୍ରୀ ମୋତେ ଆଶୀର୍ବାଦ କରିବେ ।

ସେ ଆହୁରି କହିଛନ୍ତି, ପଦ୍ମପୁରକୁ ଜିଲ୍ଲା ଦାବି, ଚାଷୀ ସମସ୍ୟା, ପାଇକମାଲକୁ ଏଏନସି ଆଦି ଅନେକ ଦାବି କହିଛି । ମୁଖ୍ୟମନ୍ତ୍ରୀ ଚାହିଁଲେ ସବୁ ସ୍ୱପ୍ନ ପୂରଣ ହୋଇ ପାରିବ । ବିଜେଡି ଟିକେଟ୍ ନେଇ ମୁଁ ଆଶାବାଦୀ ରହିଛି । ଦଳ ଯାହା ନିଷ୍ପତ୍ତି ନେବ ମାନିବି । ଦଳ ବିରୋଧରେ ଯିବିନି କି ଦଳ ବିରୋଧୀ ହେବି ନାହିଁ ବୋଲି ତିଲୋତ୍ତମା କହିଛନ୍ତି ।

ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନର ଶେଷ ତାରିଖ ୧୭ ନଭେମ୍ବର ଥିବାବେଳେ ୨୧ ତାରିଖ ସୁଦ୍ଧା ପ୍ରାର୍ଥିତ୍ୱ ପ୍ରତ୍ୟାହାର କରାଯାଇ ପାରିବ । ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ ପରେ ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହେବ ।

ଅକ୍ଟୋବର ୩ ତାରିଖରେ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ହୋଇଥିଲା । ୨ ଥର ଜନତା ଦଳ ଟିକେଟରେ ଶ୍ରୀ ବରିହା ୧୯୯୦ ଓ ୨୦୦୦ ମସିହାରେ ବିଧାୟକ ହୋଇଥିଲେ । ୨୦୦୯ରେ ବିଜେଡିରୁ ବିଧାୟକ ହେବା ସହ ମନ୍ତ୍ରୀ ହୋଇଥିଲେ । ୨୦୧୯ରେ ପଞ୍ଚମ ଥର ପାଇଁ ପଦ୍ମପୁର ଆସନରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ।

Leave A Reply

Your email address will not be published.