Latest Odisha News

BREAKING NEWS

ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ଅବମାନନା କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡିର ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ବିଜେବି ନଗର ସ୍ଥିତ ବାସଭବନ ସମ୍ମୁଖରେ ଆଜି ଏକ ପ୍ରତିବାଦ ସଭା ଆୟୋଜନ କରିବା ସହ ସୁବାସିନୀ ଜେନା କରିଥିବା ଦଳ ବିରୋଧୀ କାର୍ଯ୍ୟକୁ କଡ଼ା ନିନ୍ଦା କରିଛି ବିଜୁ ମହିଳା ଜନତା ଦଳ ।

ଏହି ପ୍ରତିବାଦ ସଭାର ନେତୃତ୍ୱ ନେଇଥିବା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ; ସୁଭାସିନୀ ଜେନା, ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳରୁ ଟିକେଟ ପାଇ ନିର୍ବାଚିତ ହୋଇଥିଲେ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳର ସୁପି୍ରମୋଙ୍କ ନିର୍ଦ୍ଦେଶ ଯାହା ରହିବ, ତାକୁ ମାନିବି ବୋଲି କହୁଥିବା ଜେନା ନିର୍ବାଚନ ଦିନ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜୁ ଜନତା ଦଳ ସହିତ ରହି, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ଦଳ ବିରୋଧୀ କାର୍ଯ୍ୟ କରିବା ସହ ନବୀନ ପଟ୍ଟନାୟକଙ୍କ ସହ ବିଶ୍ୱାସଘାତକତା କରିଥିବା ଜେନାଙ୍କୁ ଆଗାମୀ ଦିନରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ ।

ଛୁରିଆ ଆହୁରି କହିଥିଲେ ଯେ, ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରରେ ସାମିଲ ହୋଇ ଅର୍ଥ ଲୋଭରେ ଜେନା ଯେଉଁ ଦଳବିରୋଧୀ କାର୍ଯ୍ୟ କରିଛନ୍ତି, ଯଦି ନୈତିକ ସାହସ ଅଛି, ତେବେ ସେ ତୁରନ୍ତ ବିଧାୟିକା ପଦରୁ ଇସ୍ତଫା ଦିଅନ୍ତୁ ।

ଏହି ପ୍ରତିବାଦ ସଭା କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ସର୍ବଶ୍ରୀ ଭାରତୀ ସିଂହ, ନୃପେସ ନାୟକ, କେ. ଶାନ୍ତି, ମାନସୀ ସୁନ୍ଦରରାୟ, ରଞ୍ଜୁଲତା ରାୟ, ପ୍ରଭାସିନୀ ସେଠୀ, ଅଲିଅଳୀ ମଲ୍ଲିକ, ବରିଷ୍ଠ ନେତ୍ରୀ ସାରଳା ସ୍ୱାଇଁ, ସସ୍ମିତା ନନ୍ଦ, ବନଜା ମହାନ୍ତି, ଲୋରା ମହାପାତ୍ର, ଜ୍ୟୋତ୍ସ୍ନା ପରିଡ଼ା, ରୁନୁ ଜେନା, ମୋନାଲିସା ଗନ୍ତାୟତ, ଲକ୍ଷ୍ମୀ ସାହୁ, ଈଲା ସ୍ୱାଇଁ, ତିଳୋତ୍ତମା ଚୌଧୁରୀ, ସ୍ମିତା ସ୍ୱାଇଁ, ସୁସ୍ମିତା ଦାସ ଏବଂ ବିଜୁ ମହିଳା ଜନତା ଦଳର ହଜାର ହଜାର ମହିଳା ସମର୍ଥକ ସାମିଲ ହୋଇଥିଲେ ।

Comments are closed.