Latest Odisha News

BREAKING NEWS

ଚିନ୍ତାରେ ବିଶ୍ୱ ପରିବେଶ; ଦାନା ବାନ୍ଧୁଛି ବିରାଟ ବିପ୍ଳବ !

 

ବିଲୁପ୍ତି ବିପ୍ଳବ

(ବିଶିଷ୍ଟ ଓଡ଼ିଆ ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ଦ୍ୱାରା ପ୍ରତି ବୁଧବାର ଦିନ ‘ବିଲୁପ୍ତି ବିପ୍ଳବ’ ନାମକ ସାପ୍ତାହିକ ସ୍ତମ୍ଭ ପ୍ରକାଶିତ ହେବ )

ଚିନ୍ତାରେ ବିଶ୍ୱ ପରିବେଶ; ଦାନା ବାନ୍ଧୁଛି ବିରାଟ ବିପ୍ଳବ !

ସୁଦର୍ଶନ ଦାସ

ମାନବ ସମାଜର କ୍ରମ ବିକାଶ ସହିତ ବିଦ୍ରୋହ ବା ବିପ୍ଳବ ଅତି ଘନିଷ୍ଠ ଭାବରେ ଜଡ଼ିତ । ଗୋଟିଏ ପ୍ରଚଳିତ ବ୍ୟବସ୍ଥାର ଆମୂଳଚୁଳ ପରିବର୍ତ୍ତନ ଆଣି ଭିନ୍ନ ଏକ ବ୍ୟବସ୍ଥା ସୃଷ୍ଟିକୁ ସ୍ଥୁଳ ଭାବରେ ବିପ୍ଳବ କୁହାଯାଇଥାଏ । ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଉତ୍ତରଣ କ୍ଷେତ୍ରରେ ଏହି ବିପ୍ଳବ ହିଁ ଏକ ମୌଳିକ ଉପାଦାନ । ଇତିହାସରୁ ଆମେ ଏହି ଭଳି ଅନେକ ବିପ୍ଳବ କଥା ଜାଣୁ । କେତେବେଳେ ସେଗୁଡ଼ିକ ଗୋଟିଏ ଦେଶର ବ୍ୟବସ୍ଥାର ଆମୂଳଚୁଳ ପରିବର୍ତ୍ତନର ସାକ୍ଷ୍ୟ ବହନ କରିଥାଏ ତ ଆଉ କେତେକ ହୋଇଥାଏ ବିଶ୍ୱବ୍ୟାପୀ । ଇତିହାସ ପୃଷ୍ଠାରେ ଏସବୁର ତାଲିକା ବହୁତ ଲମ୍ବା । ସେ ତାଲିକା ଭିତରୁ କେତୋଟି ପ୍ରମୁଖ ବିପ୍ଳବ ଗୁଡ଼ିକର ନାମ ଏଠାରେ ନିଆଯାଇପାରେ । ଯେମିତି ଫରାସୀ ବିପ୍ଳବ, ଶିଳ୍ପ ବିପ୍ଳବ, ଆମେରିକା ବିପ୍ଳବ, ହାଇତି ବିପ୍ଳବ, ଚୀନର କମ୍ୟୁନିଷ୍ଟ ବିପ୍ଳବ, ଇରାନ ବିପ୍ଳବ, କ୍ୟୁବା ବିପ୍ଳବ, ରୁଷ ବିପ୍ଳବ ଇତ୍ୟାଦି ଇତ୍ୟାଦି । ମଣିଷ ସମାଜର ଇତିହାସକୁ ଏହି ବିପ୍ଳବ ଗୁଡ଼ିକ ଏକଦା ଓଲଟ ପାଲଟ କରିଦେଇଥିଲା । କେବଳ ସାମାଜିକ ରାଜନୈତିକ ବା ଅର୍ଥନୈତିକ କ୍ଷେତ୍ରରେ ପ୍ରଚଳିତ ଧାରାକୁ ଏସବୁ ଧ୍ୱଂସ କରି ଏକ ଭିନ୍ନ ଏବଂ ବିକଳ୍ପ ଧାରାକୁ ଏହି ବିପ୍ଳବ ଗୁଡିକ ଜନ୍ମ ନେଇ ନଥିଲା, ମଣିଷର ଚିନ୍ତାଜଗତକୁ ମଧ୍ୟ ଶରୀର ଭାବରେ ପ୍ରଭାବିତ କରିଥିଲା । ସେସବୁ ଥିଲା ପିଚ୍ଛିଲା ଶତାବ୍ଦୀର କଥା । ମାତ୍ର ଏବେ ଏକବିଂଶ ଶତାବ୍ଦୀରେ ମାନବ ସଭ୍ୟତା ଏକ ନୂଆ ବିପ୍ଳବ ରଚିବାକୁ ଯାଉଛି, ଯାହା ହେଉଛି ଅତି ନିଆରା ତା’ର ନାମ ହେଉଛି ‘ବିଲୁପ୍ତି ବିପ୍ଳବ’ । ଇତିହାସର ପ୍ରତ୍ୟେକଟି ବିପ୍ଳବ ସଙ୍ଗଠିତ ହେବା ପଛରେ ନିର୍ଦ୍ଦିଷ୍ଟ କାରଣ ରହିଥାଏ । ବ୍ୟବସ୍ଥାଟି ଯେତେବେଳେ ଘୁଣ ଖାଇଯାଏ ଅଥବା ବ୍ୟବସ୍ଥାର ସୂତ୍ରଧର ମାନଙ୍କର ଉତ୍ପୀଡ଼ନ ଯେତେବେଳେ ସୀମା ଟପିଯାଏ ସେତେବେଳେ ସେ ବ୍ୟବସ୍ଥାର ମୂଳୋତ୍ପାଟନ ପାଇଁ ସାଧାରଣ ନେତା ଆଗେଇ ଆସନ୍ତି ଆଉ ସେମାନଙ୍କର ସାମୂହିକ ଉଦ୍ୟମ ବିପ୍ଳବ ସଙ୍ଗଠିତ କରାଇବାରେ ସହାୟକ ହୁଏ । ଅଷ୍ଟାଦଶ ଶତାବ୍ଦୀର ଶିଳ୍ପ ବିପ୍ଳବକୁ ଏଠାରେ ବିଚାରକୁ ନିଆଯାଇପାରେ । ସେତେବେଳର ସମାଜର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । କୃଷି ଭିତ୍ତିକ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଶୋଷଣ ଓ ସଙ୍କଟର ସମ୍ମୁଖୀନ ହେଲା ସେହି ଶତାବ୍ଦୀର ପ୍ରାରମ୍ଭରେ । ୧୬ଶ ଶତାବ୍ଦୀର କୃଷିରେ ଯନ୍ତ୍ରପାତି ବ୍ୟବହାର ମାଧ୍ୟମରେ ଯେଉଁ କୃଷି ବିପ୍ଳବ ଆରମ୍ଭ ହେଲା ତାହା କୃଷି ଉତ୍ପାଦନକୁ ବଢାଇବାରେ ସକ୍ଷମ ହେଲା ସତ, କିନ୍ତୁ ସାମନ୍ତବାଦୀ ଶୋଷଣ ଓ ଉତ୍ପୀଡ଼ନ ସୀମା ଲଂଘିଥିଲା । ଏହାର ସୁଯୋଗ ନେଲା ସାମ୍ରାଜ୍ୟବାଦୀ ବା ରୁଢିବାଦୀ ବ୍ୟକ୍ତି । ବାଷ୍ପୀୟ ଇଞ୍ଜିନ ଉଦଭାବନର ସୁଯୋଗ ନେଇ ଏକ ନୂତନ ଉତ୍ପାଦନ ବ୍ୟବସ୍ଥା ସୃଷ୍ଟି ହେଲା ଯାହା ଯନ୍ତ୍ରଚାଳିତ ଗଣ ଉତ୍ପାଦନ । ଯନ୍ତ୍ର, ଯୁକ୍ତି ଓ ଶ୍ରମର ଆଧାର ନେଇ ସଂଗଠିତ ହେଲା ଶିଳ୍ପ ବିପ୍ଳବ ଯାହା ସମଗ୍ର ଦୁନିଆର ଚିତ୍ର ଏବଂ ଚରିତ୍ରକୁ ବଦଳାଇ ଦେଲା । କୃଷି ବିପ୍ଳବର ମଞ୍ଜିରୁ ଯେମିତି ଶିଳ୍ପ ବିପ୍ଳବର ଜନ୍ମ, ଠିକ୍ ସେହିପରି ଶିଳ୍ପ ବିପ୍ଳବର ଜଠର ଭିତରୁ ଜନ୍ମ ନେବାକୁ ଯାଉଛି ଏକ ବିପ୍ଳବ, ଯାହାର ନାମ ହେଉଛି ବିଲୁପ୍ତି ବିପ୍ଳବ । ଏହା ନିର୍ବିବାଦୀୟ ଯେ, ଏ ଧରାର ଜୀବ ଜଗତ ଏବେ ଏକ ବିଲୁପ୍ତି ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ଯାଉଛି । ଜଳବାୟୁ ପରିବର୍ତ୍ତନ ହେଉଛି ଏହାର ମୂଳ କାରଣ । ବିଶ୍ୱ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଡ଼ାକି ଆଣିଛି ଏହି ଜଳବାୟୁ ପରିବର୍ତ୍ତକୁ । ଜଳବାୟୁ ପରିବର୍ତ୍ତନ ଏମିତି ଏକ ସଙ୍କଟକୁ ଜନ୍ମ କରିଛି ଯାହା ଏବେ ବିଶ୍ୱ ଦରବାରରେ ଚିନ୍ତାର ବିଷୟ ପାଲଟିଛି । ବିଗତ ଶତାବ୍ଦୀର ଶେଷ ଭାଗରୁ ଏହି ସଙ୍କଟର ଲକ୍ଷଣ ଗୁଡ଼ିକ ଜଳ ଜଳ ହୋଇ ଦିଶିଲାଣି । ଅଦିନିଆ ବାଦଲ ଫଟା ବର୍ଷା ବେଳେ ବନ୍ୟା, ଭୟଙ୍କର ମରୁଡ଼ି, ତୁଷାର ମିଳେଇ ଯିବା, ନଦୀ ଗୁଡ଼ିକ ସତ୍ତା ହରାଇବା ଇତ୍ୟାଦି ବିଲକ୍ଷଣ ଗୁଡ଼ିକ ପୃଥିବୀର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ସୃଷ୍ଟି କଲାଣି । ମାନବ ସଭ୍ୟତା ସାମ୍ନାରେ ସତେ ଯେମିତି ମାଡ଼ି ଆସୁଛି ଏକ ଭୟଙ୍କର ବିପତ୍ତି । ଜଳବାୟୁ ପରିବର୍ତ୍ତନ ଜନିତ ଏହି ବିପତ୍ତିକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଛି ବିଲୁପ୍ତ ବିପ୍ଳବ । ପୃଥିବୀର ତାପମାତ୍ରା ବୃଦ୍ଧି ଏକ ସ୍ୱାଭାବିକ ପ୍ରାକୃତିକ ପ୍ରକ୍ରିୟା । ତୁଷାର ଯୁଗରୁ ୨ ନିୟୁତ ବର୍ଷଧରି ପୃଥିବୀର ତାପମାତ୍ରା ବୃଦ୍ଧି ପାଇ ଆସୁଛି, ଏହା ସ୍ୱାଭାବିକ । କିନ୍ତୁ ଅସ୍ୱାଭାବିକ କଥାଟି ହେଲା ବିଗତ ୫ ହଜାର ବର୍ଷ ଭିତରେ ପୃଥିବୀର ତାପମାତ୍ରା ୫ରୁ ୭ ଡ଼ିଗ୍ରୀ ବୃଦ୍ଧି ପାଉଥିବା ବେଳେ ଶିଳ୍ପ ବିପ୍ଳବ ପରଠୁ ଆଜି ଭିତରେ ଏହି ତାପମାତ୍ରା ୧ ଡ଼ିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ଚଳିତ ଶତାବ୍ଦୀ ଶେଷ ଆଡ଼କୁ ଆହୁରି ୫ ଡ଼ିଗ୍ରୀ ସେଲସିୟସକୁ ଏହା ବୃଦ୍ଧି ପାଇବ ବୋଲି ପରିବେଶ ବିଜ୍ଞାନୀମାନେ ଆକଳନ କରିଛନ୍ତି । ବର୍ତ୍ତମାନ ପୃଥିବୀର ହାରାହାରି ତାପମାତ୍ରା ୧୪.୪୪ ଡ଼ିଗ୍ରୀ ସେଲସିୟସ । ଏକବିଂଶ ଶତାବ୍ଦୀର ଶେଷ ଆଡ଼କୁ ଏହା ୨୦.୨୧ ଡ଼ିଗ୍ରୀରେ ପହଞ୍ଚିବାର ଆକଳନ ଜୀବ ଜଗତ ପାଇଁ ସମୁହ ବିଲୁପ୍ତିର ଏକ ସତର୍କ ସୂଚନା । ଏହି ଗଭୀର ସଙ୍କଟକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଆଇ.ପି.ସି.ସି (ଇଣ୍ଟର୍ ଗଭର୍ଣ୍ଣମେଣ୍ଟାଲ୍ ଅନ୍ କ୍ଲାଇମେଟ୍ ଟେଷ୍ଟ) ୨୦୧୫ ମସିହାରେ ଏକ ଐତିହାସିକ ନିଷ୍କୃତି ନେଇଥିଲା । ବିଶ୍ୱ ତାପମାତ୍ରା ବୃଦ୍ଧିକୁ ରୋକିବା ପାଇଁ ଏକ ଘୋଷଣାନାମା ଜାରି କରାଯାଇଥିଲା । ଶିଳ୍ପ ବିପ୍ଳବ ପୂର୍ବବର୍ତ୍ତୀ ସମୟରେ ଥିବା ପୃଥିବୀର ତାପମାତ୍ରାର ୨ ଡ଼ିଗ୍ରୀ ଭିତରେ ବୃଦ୍ଧିକୁ ସୀମିତ ରଖିବା ପାଇଁ ବିଶ୍ୱର ରାଷ୍ଟ୍ରମାନେ ଏଥିରେ ଚୁକ୍ତିବଦ୍ଧ ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେ, ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ଦୃଢ ପଦକ୍ଷେପ କୌଣସି ଦେଶ ନେଇପାରିଲେ ନାହିଁ । ଏହା ବିରୁଦ୍ଧରେ ଏବେ ସୃଷ୍ଟି ହେଉଛି ବିଶ୍ୱ ତମାମ ଜନ ଅସନ୍ତୋଷ । ଏହି ଅସନ୍ତୋଷ ହେଉଛି ବିଲୁପ୍ତି ବିପ୍ଳବର ମୂଳ କାରଣ । ୨୦୧୮ ମସିହା ମେ ମାସ ୟୁରୋପରେ ୧୦୦ରୁ ଉଦ୍ଧ୍ୱର୍ ପରିବେଶ ବିଶାରଦ ଏବଂ ବୁଦ୍ଧିଜୀବୀ ଳଜବାୟୁ ପରିବର୍ତ୍ତନର ତ୍ୱରିତ ମୁକାବିଲା ପାଇଁ ଏକ ଦାବୀ ପତ୍ର ପ୍ରସ୍ତୁତ କରି ଅକ୍ଟୋବର ମାସରେ ଇଂଲଣ୍ଡର ପାର୍ଲାମେଣ୍ଟସାମ୍ନାରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଏହି ବିପ୍ଳବ ବା ବିଦ୍ରୋହର ଘୋଷଣାନାମା ଜାରି କଲେ । ଏହି ଘୋଷଣାନାମାରେ ତିନୋଟି ମୁଖ୍ୟ ଦାବୀ ରହିଥିଲା । ପ୍ରଥମଟି ହେଲା ସରକାର ଜଳବାୟୁ ଏବଂ ପର୍ଯ୍ୟାବରଣ ସମ୍ପର୍କୀତ ସତ୍ୟତାକୁ ମାନନ୍ତୁ ଏବଂ ଏକ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରନ୍ତୁ ତା’ର ମୁକାବିଲା କରିବା ପାଇଁ । ଦ୍ୱିତୀୟଟି ହେଲା, ସରକାର ଦୈବ ବିବିଧତାର ଯେଉଁ ଅବକ୍ଷୟ ହେଉଛି ତାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ସବୁଜ ଘର ଗ୍ୟାସ ନିର୍ଗତକୁ ୨୦୨୫ ସୁଦ୍ଧା ସର୍ବନିମ୍ନସ୍ତରକୁ ଆଣନ୍ତୁ । ତୃତୀୟଟି ହେଲା ସରକାର ନାଗରିକମାନଙ୍କର ବିଧାନସଭା ସୃଷ୍ଟି କରନ୍ତୁ । ଅକ୍ଟୋବର ୩୧ ତାରିଖରେ ଏହି ବିଲୁପ୍ତି ବିପ୍ଳବ ବା ବିଦ୍ରୋହର ଘୋଷଣା ପରେ ନଭେମ୍ବର ମାସରେ ଲଣ୍ଡନ ସହର ଦେଲା ଏକ ଅଦ୍ଭୁତପୂର୍ବ ଗଣ ବିଦ୍ରୋହ । ଲଣ୍ଡନ ସହରକୁ ଘେରି ରହିଥିବା ଟେମସ୍ ନଦୀର ୫ଟି ପୋଲକୁ ଜାମ୍ କରିଦେଲେ ଆନ୍ଦୋଳନକାରୀମାନେ । ଘଣ୍ଟା ଘଣ୍ଟା ଧରି ସହରକୁ ଲୋକଙ୍କ ଯାତାୟାତ ବନ୍ଦ ହୋଇଗଲା । ‘ଦି ଗାର୍ଡ଼ିୟାନ’ ଏହାର ଖବରକୁ ପ୍ରକାଶ କରିବାକୁ ଯାଇ ଲେଖିଲା “ୟୁକେ ରେ ଏଭଳି ପ୍ରତିବାଦ ଅନେକ ଦଶନ୍ଧି ଧରି ଦେଖା ଯାଇନଥିଲା । ନିକଟ ଅତୀତରେ ଏଭଳି ବଡ଼ ପ୍ରତିବାଦ ଆନ୍ଦୋଳନ ୟୁକେବାସୀ କରିନଥିଲେ ।” ତା’ପରଠୁ ନିଆଁ ଭଳି ଏ ବିଦ୍ରୋହ ୟୁରୋପରେ ବ୍ୟାପୀଗଲା । ଗୋଟିଏ ପରେ ଗୋଟିଏ ଦେଶର ଜନତା, ପ୍ରକୃତିପ୍ରେମୀ ଏବଂ ଜଳବାୟୁ କର୍ମୀମାନେ ବିଭିନ୍ନ ସ୍ଥାନରେ ଏକାଠି ହେଲେ । ପ୍ରତିବାଦର ସ୍ୱର ଏତେ ପ୍ରଖର ଏବଂ ଦାବୀ ସପକ୍ଷରେ ଜନମତ ଏତେ ବ୍ୟାପକ ହେଲା ଯେ, ବିଭିନ୍ନ ସ୍ଥାନୀୟ ସରକାରମାନେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ ଏବଂ ଜଳବାୟୁ ଓ ପର୍ଯ୍ୟାବରଣ ସଂପର୍କୀତ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ବାଧ୍ୟ ହେଲେ । ସେ ବିଦ୍ରୋହର ନିଆଁ ଏବେ ୟୁରୋପ ବାହାରକୁ ଗଲାଣି । ଆମେରିକା, ଅଷ୍ଟ୍ରେଲିଆ ଆଫ୍ରିକା ଏବଂ ଏସିଆ ମହାଦେଶ ଭିତରେ ବିଭିନ୍ନ ସ୍ଥାନରେ ବିପ୍ଳବର ସେ ନିଆଁ ଉଦଗରିତ ହେଲାଣି । ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ନ୍ୟୁୟର୍କ ସହରରେ ଏକ ଅଭିନବ ପ୍ରତିବାଦ କଲେ ବିଦ୍ରୋହୀମାନେ । ବରଫର ଶୀଳା ଉପରେ ଛିଡ଼ାହୋଇ ବେକରେ ଫାଶୀ ଦଉଡ଼ି ଲଗାଇ ସେମାନେ ଜଣାଇଦେବାକୁ ଚାହିଁଲେ, ତାଙ୍କ ପାଦତଳର ବରଫ ମିଳାଇଯିବ ଏବଂ ସେମାନେ ଫାଶୀରେ ଲଟକି ଯିବେ । ପୁରାପୁରି ସତ କଥାଟି । ପୃଥିବୀ ବକ୍ଷରେ ଗଚ୍ଛିତ ବରଫ ଏବେ ତରଳିବାକୁ ଲାଗିଛି ଅତ୍ୟନ୍ତ କ୍ଷିପ୍ରଗତିରେ । ବାୟୁମଣ୍ଡଳର ତାପମାତ୍ରାକୁ ଯଦି ରୋକାନଯାଏ, ତେବେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବ ଜୀବଜଗତ । ସମସ୍ତେ ସମୂହ ବିଲୁପ୍ତର ଶୀକାର ହେବେ । ବିଲୁପ୍ତି ବିପ୍ଳବର ନିଆଁ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଥିବା ବେଳେ ସ୍ୱିଡ଼େନର ୧୬ ବର୍ଷିୟା ଝିଅ ପ୍ରେଟା ଥନବର୍ଗଙ୍କ ‘ଜଳବାୟୁ ପାଇଁ ସ୍କୁଲ’ ଆନ୍ଦୋଳନ ତାକୁ ଆହୁରି ତେଜିୟାନ କରାଇଲା । ୨୦୧୮ ଅଗଷ୍ଟ ମାସରୁ ପ୍ରେଟା ନିଜ ବିଦ୍ୟାଳୟର ପାଠପଢା ଛାଡ଼ି ସ୍ୱିଡ଼େନର ପାର୍ଲାମେଣ୍ଟଆଗରେ ଜଳବାୟୁ ନ୍ୟାୟ ପାଇଁ ସତ୍ୟାଗ୍ରହରେ ବସିଥିଲେ । ପରବର୍ତ୍ତି ସମୟରେ ମିଳିତ ଜାତିସଂଘର ଏକ ଅଧିବେଶନରେ ତାଙ୍କର ମର୍ମସ୍ପର୍ଶୀ ଭାଷଣ ପୃଥିବୀବାସୀଙ୍କ ଭିତରେ ବିଶେଷକରି କିଶୋର-କିଶୋରୀମାନଙ୍କ ଭିତରେ ଏକ ଉନ୍ମାଦନା ଭରି ଦେଲା । ଲକ୍ଷ ଲକ୍ଷ ସଂଖ୍ୟାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ପୃଥିବୀର ବିଭିନ୍ନ ଦେଶର ମନ୍ଦିରମାନଙ୍କର ରାଜରାସ୍ତାକୁ ଦଖଲ କରିବା ଅବସ୍ଥାକୁ ନେଇ ଆସିଛନ୍ତି । ପ୍ରେଟା ଜଳବାୟୁ ଯୋଦ୍ଧାର ଏକ ଉଦାହରଣ ପାଲଟିଛନ୍ତି ଆଜି ସମଗ୍ର ବିଶ୍ୱରେ । ତାଙ୍କର ଭାଷଣ ଏବଂ ଆହ୍ୱାନ ଲଣ୍ଡନରୁ ଆରମ୍ଭ ହୋଇଥିବା ବିଲୁପ୍ତି ବିପ୍ଳବକୁ ଆହୁରି ବ୍ୟାପକ ଏବଂ ସୁଦୂର ପ୍ରସାରି କରାଇଛି । ପୃଥିବୀର ଇତିହାସ ଅନେକ ବିପ୍ଳବ ଦେଇଛି । ମାତ୍ର ବିଲୁପ୍ତି ବିପ୍ଳବ ଅନ୍ୟ ସବୁଗୁଡ଼ିକ ଠାରୁ ଭିନ୍ନ ଓ ନିଆରା । କାରଣ ଅତୀତର ବିପ୍ଳବ ଗୁଡ଼ିକର ଅସଫଳତାରେ ସାମୁହିକ ବିଲୁପ୍ତିର ଭୟ ନଥିଲା । କିନ୍ତୁ ବିଲୁପ୍ତି ବିପ୍ଳବ କ୍ଷେତ୍ରରେ କଥାଟି ଅଲଗା । ଏହି ବିଲୁପ୍ତି ବିପ୍ଳବ ଯଦି ଅସଫଳ ହୁଏ, ତେବେ ଏ ଧରାର ଜୀବଜଗତର ବିଲୁପ୍ତି ସୁନିଶ୍ଚିତ । ତେଣୁ ଏହି ବିଲୁପ୍ତି ବିପ୍ଳବକୁ ସଫଳ କରାଇବା ହେଉଛି ଆଜି ଦିନରେ ପ୍ରତ୍ୟେକଟି ବିଶ୍ୱବାସୀଙ୍କର ପରମ କର୍ତ୍ତବ୍ୟ ଏବଂ ଦାୟିତ୍ୱ ।

(ଲେଖକ ସୁଦର୍ଶନ ଦାସ ଜଣେ ବିଶିଷ୍ଟ ସ୍ତମ୍ଭକାର)

Comments are closed.