ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପ୍ରକାଶିତ ବିଶିଷ୍ଟ ଲେଖକ ବିରଜା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ ‘ସାରିଆ ନାନୀ’ ଉନ୍ମୋଚିତ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମହାନିର୍ଦ୍ଦେଶକ ଡ. ଉମାକାନ୍ତ ମିଶ୍ର ଓ ବରିଷ୍ଠ ଲେଖକ ଦାଶ ବେନହୁର ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଦାଶ ବେନହୁର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ‘ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟ ମଧ୍ୟରେ ଯେଉଁ ସବୁ ପରିବର୍ତ୍ତନ ଘଟିଛି ତାହାକୁ ନିଖୁଣ ଭାବେ ବର୍ଣ୍ଣନା କରିବାରେ ଲେଖକ ସଫଳ ହେଇଛନ୍ତି । ଏହା ପାଠକ ମହଲରେ ନିଶ୍ଚୟ ଆଦୃତ ହେବ । ଏ ଉପନ୍ୟାସର ଭାଷା ଓ କଥାବସ୍ତୁ ଗଡ଼ଜାତ ଅଞ୍ଚଳର ଭାଷା ସଂସ୍କୃତିକୁ ପ୍ରତିଫଳିତ କରିଛି। ଉପନ୍ୟାସରେ ବ୍ୟାସକବି ଫକୀର ମୋହନ ଓ କାଳଜୟୀ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଶୈଳୀ, ଭାବ ଓ ଭାଷାକୁ ପାଠକେ ପୁଣିଥରେ ଭେଟିବେ।‘
ଏହି ପୁସ୍ତକରେ ସାରିଆ ନାନୀ ଚରିତ୍ର ଆମ ଅତୀତର ଗ୍ରାମ୍ୟ ଜୀବନର ଏକ ଜୀବନ୍ତ ଚରିତ୍ର ଭାବେ ଉଭା ହୋଇଛି ବୋଲି ଡ. ଉମାକାନ୍ତ ମିଶ୍ର କହିଥିଲେ। ଏହା ପଢ଼ିବା ବେଳେ ପିଲାଦିନକୁ ପୁଣିଥରେ ଫେରିପାଇବା ଭଳି ମନେହେବ ବୋଲି ସେ ମତ ରଖିଥିଲେ।
ଉତ୍ସବରେ ନିଜର ଲେଖକୀୟ ବକ୍ତବ୍ୟ ରଖିବା ଅବସରରେ ବିରଜା ମହାପାତ୍ର କହିଥିଲେ ଯେ ସାରିଆ ନାନୀ ଚରିତ୍ର ଗୋଟିଏ ଝିଅ, ବୋହୁ, ପତ୍ନୀ ଓ ମା’ ହିସାବରେ ତାଙ୍କର ଦାୟିତ୍ୱ ନିର୍ବାହ କରୁ କରୁ ଅସାଧାରଣ ହୋଇ ଦେଶ ଗଢ଼ିବାର ଛୋଟିଆ ମଡ଼େଲଟିଏ ତିଆରି କରିଛନ୍ତି। ପ୍ରାକ୍ ସ୍ୱାଧୀନତା କାଳର ଦୁରାବସ୍ତା ଓ ପରବର୍ତ୍ତୀ ସମୟର ବସ୍ତୁବାଦୀ ମାନସିକତା ଭିତରେ ଆମେ ଆବେଗ, ପାରିବାରିକ ଉଷ୍ମତା ଓ ବୃତ୍ତିଗତ ଉତ୍କର୍ଷ କିପରି ହରାଇ ବସିଛେ ତାହା ଏହି ପୁସ୍ତକରେ ବେଶ ସ୍ପଷ୍ଟ ବାରିହେବ ବୋଲି ଆଶାବ୍ୟକ୍ତ କରିଥିଲେ ଲେଖକ ।
ବାଣୀବିହାର ୧୯୮୫-୮୭ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଲେଖକ ସତୀର୍ଥ ମହାଦେବ ସେଠୀ ଧନ୍ୟଵାଦ ଅର୍ପଣ କରିଥିଲେ।
Comments are closed.