Latest Odisha News

BREAKING NEWS

ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଖୋକା ଭାଇଙ୍କର ଆଜି ଜନ୍ମ ଦିନ

ଭୁବନେଶ୍ୱର: ଓଡିଆ ସଂଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି। ତାଙ୍କ ଶବ୍ଦ ସଂଯୋଜନା ରେ ସଂଗୀତ ଜଗତ କୁ ମିଳିଛି ନୂତନ ଦିଗନ୍ତ । ଏକାଧାର ରେ ସେ ଥିଲେ ଜଣେ ଗାୟକ , ଗୀତିକାର , ସଂଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ଓଡିଆ ସଂଗୀତ ଜଗତ ପ୍ରତି ଅକ୍ଷୟ ମହାନ୍ତିଙ୍କ ଅବଦାନ ଆତୁଳନୀୟ । ଆଜି ସେହି ଚିରସବୁଜ ବ୍ୟକ୍ତିତ୍ବ ଖୋକା ଭାଇଙ୍କର ଜନ୍ମଦିନ।

ଆମ ମାଟିର କଥା, ଗୀତ ଓ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ତଥା ସମସ୍ତଙ୍କ ଆଦରର ଖୋକା ଭାଇ । ଓଡ଼ିଆ ସଙ୍ଗୀତରେ ତାଙ୍କର ବିରଳ ଭାବଭଙ୍ଗୀ ଓ ପ୍ରୟୋଗ ଏକ ବିରଳ ଦୃଷ୍ଟାନ୍ତ । ତାଙ୍କ ସଙ୍ଗୀତର ପ୍ରବାହ ଆଜି ବି ଉଲ୍ଲସିତ କରେ ଜନମାନସକୁ ।

୧୯୩୭ ମସିହା ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କର ଜନ୍ମ । ବିଚିତ୍ରାନନ୍ଦ ମହାନ୍ତି ଓ ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ କୋଳରେ ଜନ୍ମ ହୋଇଥିଲେ ଅକ୍ଷୟ ମହାନ୍ତି ।

କୌଣସି ପ୍ରକାରର ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ । ବଡ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ ।

ଆକାଶ ବାଣୀ କଟକକେନ୍ଦ୍ରରୁ ୧୯୬୩ ମସିହାରେ ଜଣେ ଗୀତିକାର ଭାବେ ଅକ୍ଷୟ ମହାନ୍ତିଙ୍କୁ ସ୍ବୀକୃତି ମିଳିଥିଲା । ୧୯୫୯ ମସିହା ପରଠୁ ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଭିଥିଲା ତାଙ୍କ ସଂଗୀତର ଝଙ୍କାର ।

ଅକ୍ଷୟଙ୍କର ପ୍ରଥମ ଚଳଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି । ୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । “ରକତ ଟଳମଳ” ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।

୨୦୦୨ ମସିହା, ନଭେମ୍ବର ୧୭ ତାରିଖରେ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ପରଲୋକ ହୋଇଥିଲା । ଓଡିଆ ସଙ୍ଗୀତରେ ରେ ପରିବର୍ତ୍ତନ ଆଣି ସେଥିରେ ଆଧୁନିକତାର ସ୍ପର୍ଶ ଦେଇ ଏହାକୁ ଋଦ୍ଧିମନ୍ତ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ଅକ୍ଷୟ।

ଓଡିଶା ର ସଙ୍ଗୀତ ସାମ୍ରାଜ୍ୟ ରେ ଅକ୍ଷୟଙ୍କର ଅବଦାନ ଅତୁଳନୀୟ, ସେ ସଦା ସର୍ବଦା ତାଙ୍କର ମନରୋମ ଓ ହୃଦୟସ୍ପର୍ଶୀ। ନିଜର ଏହି ଯୁଗାନ୍ତକାରୀ ସଙ୍ଗୀତ ପାଇଁ ଖୋକା ଭାଇ ସବୁ ଓଡ଼ିଆଙ୍କ ମନରେ ଚିରସ୍ମରଣୀୟ ହୋଇ ରହିଥିବେ ।

Leave A Reply

Your email address will not be published.