ପୁରୀ ଏକ ପାରମ୍ପାରିକ ସହର… । ଏଥିରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡିତ ସେବକଙ୍କ ଏକ ସ୍ୱତନ୍ତ୍ର ଚଳଣି ଓ ପରମ୍ପରା ରହିଛି । ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ ସ୍ୱପ୍ନ ସାକାର କରିବା ସେମାନଙ୍କ ପକ୍ଷେ ସର୍ବଦା ସମ୍ଭବପର ହୋଇ ନ ଥାଏ । ତଥାପି ଏହା ମଧ୍ୟରୁ କେତେକ ପ୍ରତିଭାବାନ ସେବକ ନିଜ ଉଦ୍ୟମ ବଳରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ବିଶ୍ୱଜିତ ପ୍ରତିହାରୀ ସେମାନଙ୍କ ମଧ୍ୟରୁ ଜଣେ.. । ସେ ଏବେ ଇଣ୍ଡିଆ ପୋଷ୍ଟରେ କାର୍ଯ୍ୟରତ ଅଛନ୍ତି । ଏହା ବ୍ୟତୀତ ମହାପ୍ରଭୂ ଜଗନ୍ନାଥଙ୍କ ସେବାରେ ମଧ୍ୟ ଜଡିତ ଅଛନ୍ତି ।
ସେ ୱେଟଲିଫ୍ଟିଂରେ ନିଜ କ୍ୟାରିୟର ସୁଚାରୂରୂପେ ଆରମ୍ଭ କରିଥିଲେ । ଧୀରେ ଧୀରେ ସଫଳତାର ସୋପାନ ଚଢ଼ିଥିଲେ । ୨୦୦୦ରୁ ୨୦୧୫ ମଧ୍ୟରେ ସେ ଅନେକ ଉପଲବ୍ଧି ହାସଲ କରିଥିଲେ । ଏହା ମଧ୍ୟରେ ଓପନ ଓଡିଶା ଷ୍ଟେଟ ଚାମ୍ପିୟନଶିରେ ସ୍ୱର୍ଣ୍ଣ, ଜାତୀୟ ୱେଟଲିଫ୍ଟଂ ଚାମ୍ପିୟନଶିପରେ ୨ଥର ସ୍ୱର୍ଣ୍ଣ, ସର୍ବ ଭାରତୀୟ ଆନ୍ତଃ ୟୂନିଭରସିଟି ଚାମ୍ପିୟନଶିପରେ ରୌପ୍ୟ,ପୋଷ୍ଟାଲ ଡିପାର୍ଟମେଂଟରେ ୭ ଥର ସ୍ୱର୍ଣ୍ଣ ଓ ସର୍ବଭାରତୀୟ ସିଭିଲ ସର୍ଭିସ ଗେମ୍ସରେ ୫ ଥର ସ୍ୱର୍ଣ୍ଣ ରହିଛି । ଏହା ପରେ ସେ ଆଘାତ ସମସ୍ୟାରେ ପଡିଥିଲେ । ତାଙ୍କ ୱେଟ ଲିଫ୍ଟିଂ କ୍ୟାରିୟରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।
ବିଶ୍ୱଜିତ ନିରାଶ ହୋଇ ପଡିଥିଲେ । ତେବେ ତାଙ୍କ ନାମ ବିଶ୍ୱଜିତ ହୋଇଥିବାରୁ ସେ ହାର ମାନିବାକୁ ପ୍ରସ୍ତୁତ ନ ଥିଲେ । ଏହା ପରେ ବଡି ବିଲ୍ଡିଂରେ ପାଦ ଥାପିଥିଲେ । ଏଥିରେ ମଧ୍ୟ ସେ ଦିନକୁ ଦିନ ସଫଳତାର ପାହାଚ ଚଢ଼ୁଛନ୍ତି । ୨୦୧୮ରୁ ୨୦୨୫ ମଧ୍ୟରେ ସେ ସାଉଦି ଆରବରେ ଅନୁଷ୍ଠିତ ମିଷ୍ଟର ୱାର୍ଲ୍ଡ, ବ୍ୟାଙ୍କକରେ ମିଷ୍ଟର ୟୁନିଭର୍ସ ଓ ୟୁଏଇରେ ମିଷ୍ଟର ଏସିଆ ହୋଇ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଏହା ବ୍ୟତୀତ ୨୦୨୫ରେ ମିଷ୍ଟର ଇଣ୍ଡିଆ ଓ ୪ଥର ମିଷ୍ଟର ଓଡିଶା ଟାଇଟଲ ମଧ୍ୟ ହାତେଇଛନ୍ତି ।
ବିଶ୍ୱଜିତ ୪ ଥର ଡାକଶ୍ରୀ, ୬ଥର ପୋଷ୍ଟାଲ ଡିପାର୍ଟମେଂଟ ଚାମ୍ପିୟନଶିପରେ ସ୍ୱର୍ଣ୍ଣ, ୬ ଥର ସର୍ବଭାରତୀୟ ସିଭିଲ ସର୍ଭିସ ଗେମ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି । ନେତାଜୀ ସୁବାସ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସ ପଟିୟାଲାରୁ ସ୍ପୋର୍ଟ୍ସ କୋଚ ସାର୍ଟିଫିକେଟ ମଧ୍ୟ ହାସଲ କରିଛନ୍ତି । ଏନଏସଏନଆଇଏସର ୬୦ତମ ବ୍ୟାଚର ସେ ଟପର ଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ଶୃଙ୍ଖଳିତ କ୍ରୀଡାବିତ ଭାବେ ଅଧିକରୁ ଅଧିକ ସଫଳତା ହାସଲ କରିବା ତାଙ୍କ ସ୍ୱପ୍ନ ରହିଛି ।