Latest Odisha News

ସମ୍ବଲପୁର ଘଟଣାକୁ ପୁଣିଥରେ ଉସକେଇବାକୁ ପ୍ରୟାସ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ସମ୍ବଲପୁର ଘଟଣାକୁ ବିଜେପି ଉସକେଇବାକୁ ପ୍ରୟାସ କରୁଛି। ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏବେ ଶାନ୍ତି ଫେରି ଆସୁଥିବାବେଳେ ଓଡ଼ିଶା ବିଜେପି ସାମ୍ବାଦିକ ସମ୍ମିଳନୀ କରି ପୁଣିଥରେ ଏହି ପ୍ରସଙ୍ଗକୁ ଉସକେଇବାକୁ ଚାହୁଁଛି ଏବଂ ଏଥିରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି। ଏହା ସଦାବେଳେ ସେମାନଙ୍କର ରଣନୀତି ରହିଆସିଛି ବୋଲି ଆଜି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ଅନ୍ୟପଟେ ସମ୍ବଲପୁରରେ ଶାନ୍ତି ନିମନ୍ତେ ଭୁବନେଶ୍ଵର ସ୍ଥିତ ହାଉସିଂ ବୋର୍ଡ ଵିଲଣ୍ଡିଂ ଠାରୁ ରାମମନ୍ଦିର ପର୍ଯ୍ୟନ୍ତ ବିଜୁ ଯୁବ- ଛାତ୍ର- ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ବିଧାୟକ ସାମିଲ୍ ହୋଇଥିଲେ।

ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ଯେ ସମ୍ବଲପୁରରେ ଘଟିଥିବା ଏହି ସ୍ପର୍ଶକାତର ଘଟଣା ପଛର ଅପରାଧୀମାନଙ୍କ ବିରୋଧରେ ପୁଲିସ କିଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ସମ୍ବଲପୁରବାସୀ ଦେଖିଛନ୍ତି। ତେଣୁ ଏଭଳି ସାମ୍ବାଦିକ ସମ୍ମିଳନୀ କରି ସମ୍ବଲପୁରବାସୀଙ୍କୁ ଭ୍ରମିତ କରିବାକୁ ସେମାନେ କେବେବି ସଫଳ ହେବେ ନାହିଁ। ଯେହେତୁ ଏହି ମାମଲାରେ ସଂପୃକ୍ତ ଅପରାଧୀମାନେ ଗିରଫ ହୋଇ ସାରିଲେଣି, ସ୍ବାଭାବିକ ଭାବେ ସେମାନଙ୍କୁ ଉସୁକାଇଥିବା ଲୋକମାନେ ବି ଖୁବଶୀଘ୍ର ଧରା ପଡ଼ିଯିବେ ବୋଲି ଆଶା କରାଯାଉଛି। ଏହାକୁ ନେଇ ଓଡ଼ିଶା ବିଜେପି ବିବ୍ରତ ହୋଇପଡ଼ିଛି କି? ଏହି କାରଣରୁ ସେମାନେ ଏଭଳି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରୁଛନ୍ତି କି?

ଧାନକିଣା, ଏମ୍ଏସପି, ଫସଲବୀମା ଆଦି ପଶ୍ଚିମ ଓଡ଼ିଶାବାସୀଙ୍କ ହିତରେ ଥିବା କୌଣସି ପ୍ରସଙ୍ଗରେ ଓଡ଼ିଶା ବିଜେପି କେବେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରେ ନାହିଁ ବୋଲି ଉଲ୍ଲେଖ କରିନେ। ପଦ୍ମପୁରକୁ ରେଳଲାଇନ ସଂଯୋଗ କେବେ ହେବ, ବର୍ଷବର୍ଷ ଧରି ଚାଲିଥିବା ସମ୍ବଲପୁର-କଟକ ଜାତୀୟ ରାଜପଥ ନିର୍ମାଣ କାମ କେବେ ସରିବ ଇତ୍ୟାଦି ପ୍ରସଙ୍ଗରେ ନିରବ ରହୁଥିବା ବିଜେପି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହିତରେ କେବେ କୌଣସି ସାମ୍ବାଦିକ ସମ୍ମିଳନୀ କରିବାର ନଜିର ନାହିଁ ବୋଲି ବିଜେଡି ଅଭିଯୋଗ କରିଛି।

Comments are closed.