Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନ ପାଇଁ ୨ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ନିଜର ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି।

ଦେବାଶିଷ ସାମନ୍ତରାୟ କଟକ-ବାରବାଟୀର ପୂର୍ବତନ ବିଧାୟକ ଏବଂ ଦଳର ଜଣେ ଟାଣୁଆ ନେତା। ଶୁଭାଶିଷ ଖୁଣ୍ଟିଆ ଜଣେ ବରିଷ୍ଠ ନେତା ଓ ବିଜେଡିର ମୁଖପାତ୍ର। ସେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ତେବେ ତୃତୀୟ ପ୍ରାର୍ଥୀ କିଏ ହେବେ ତାହା ଅସ୍ପଷ୍ଟ ରହିଛି। ଯାହା କୁହାଯାଉଛି ନିକଟରେ ବିଜେଡିରେ ଯୋଗ ଦେଇଥିବା ସଂତୃପ୍ତ ମିଶ୍ର ତୃତୀୟ ଆସନ ପାଇଁ ମନୋନୀତ ହୋଇପାରନ୍ତି।

ଏହାପୂର୍ବରୁ କଟକର ଏବେର ମେୟର ସୁବାଷ ସିଂହ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ମେୟର ଆସନ ପାଇଁ ନିର୍ବାଚନ ଲଢିବାରୁ ତାଙ୍କୁ ଏହି ପଦ ଛାଡିବାକୁ ପଡ଼ିଥିଲା।

ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ୩ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (ବିଜେପି), ପ୍ରଶାନ୍ତ ନନ୍ଦ (ବିଜେଡି) ଏବଂ ଅମର ପଟ୍ଟନାୟକ (ବିଜେଡି) ଅବସର ନେବେ। ରାଜ୍ୟ ବିଧାନସଭାରେ ବିଜେଡିର ୩ଟି ଯାକ ଆସନ ଜିତିବା ପାଇଁ ଯଥେଷ୍ଟ ଶକ୍ତି ରହିଛି। କାରଣ ଜଣେ ସଦସ୍ୟ ଚୟନ କରିବା ପାଇଁ ବିଜେଡିର ୩୮ ଖଣ୍ଡ ଭୋଟ୍ ଦରକାର। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା ପରେ ୧୪୬ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେଡିର ୧୦୮ ବିଧାୟକ ଅଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଫେବ୍ରୁଆରି ୧୫ ରହିଛି। ଫେବ୍ରୁଆରି ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଏବଂ ଫେବ୍ରୁଆରି ୧୮ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଫେବ୍ରୁଆରି ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ସେହିଦିନ ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ।

୨୦୦୦ ମସିହାରୁ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନରେ ବିଜେଡିର ଦବଦବା ରହିଛି। ୨୦୧୯ରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ମଧ୍ୟ ବିଜେଡି ସମର୍ଥନ କରିଛି। ଏଥର ମଧ୍ୟ ରାଜ୍ୟସଭା ନିର୍ବାଚନରେ ବିଜେଡି ନିଜର ଆଧିପତ୍ୟ ବଜାୟ ରଖିବା ସହ ଜାତୀୟ ସ୍ତରରେ ନିଜର ସ୍ଥିତି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.