Latest Odisha News

BREAKING NEWS

ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ : ବିଜେଡି

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ବିଜେଡି କାର୍ଯ୍ୟକାରୀଣି ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ ମୋହର ଲାଗିଛି ।

ବିଜେଡି କାର୍ଯ୍ୟକାରୀଣିରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବା ସମ୍ପର୍କରେ ଆଲୋଚନା କରିଥିଲେ ।

ସର୍ବସମ୍ମତି କ୍ରମେ ପ୍ରସ୍ତାବ ସପକ୍ଷରେ ମତ ପ୍ରକାଶ ପାଇବା ପରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଥିଲା । ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ଏହା ଫଳରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀଦେବା ନିଶ୍ଚିତ ହୋଇଯାଇଛି ।

ସୂଚନା ଅନୁସାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ସାରା ଦେଶରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପଞ୍ଚାୟତରାଜି ଓ ପୌରପାଳିକା ନିର୍ବାଚନକୁ ଉଠାଇ ଦିଆଯିବାରୁ ଏହି ଜାତୀୟ ପ୍ରସଙ୍ଗ ଉପରେ ପଛୁଆବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ।

କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ତାକୁ ବିଜେଡି ଆନ୍ତରିକତାର ସହ ସମର୍ଥନ କରିବ । ଆଜିର ଏହି କାର୍ଯ୍ୟକାରୀଣି ବୈଠକରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ,ଦଳର ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର,ମନ୍ତ୍ରୀ ପ୍ରତାପ ଜେନା , ଓ ଅନ୍ୟାନ୍ୟ ମନ୍ତ୍ରୀ ନେତା ଓ ବିଧାୟକ ମାନେ ଉପସ୍ଥିତ ଥିଲେ ।

Comments are closed.