ଭୁବନେଶ୍ୱର: ରାତି ପାହିଲେ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ପଡିବ। ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହେଲେ ବିଜେଡି-ବିଜେପି ପରସ୍ପରକୁ ଟାର୍ଗେଟ କରିବା ଏବଂ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ପ୍ରକ୍ରିୟା ଥମିନାହିଁ। ଆଜି ରାତି ୯ଟା ବେଳେ ବିଜେଡିର ୪ ଜଣିଆ ଟିମ୍ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ବିରୋଧରେ ଫେରାଦ ହୋଇଛି। ଆଉ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ପେନ୍ ଡ୍ରାଇଭ୍ ଦାଖଲ କରିଛି। ଯେଉଁଥିରେ ରାଜ୍ୟ ବିଜେପି ନେତା ଓ କର୍ମୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବାକୁ ଯାଉଥିବା ଅଭିଯୋଗ ଆଣିଛି ଶାସକ ଦଳ।
ବିଜେଡି କହିଛି, ଆମେ ଏକ ପେନ୍ ଡ୍ରାଇଭ୍ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛୁ। ଯେଉଁଥିରେ ଭୋଟ୍ ପୂର୍ବରୁ ପ୍ରଚାର ବନ୍ଦ ରହିଥିବା ବେଳେ ରାଜ୍ୟ ବିଜେପିର କର୍ମୀ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିିଳିଛି। ସେମାନେ ଦଳର ଚିହ୍ନ ପଦ୍ମ ଫୁଲକୁ ଭୋଟରଙ୍କୁ ବାଣ୍ଟିବାକୁ ପ୍ରୟାସ କରୁଛନ୍ତି। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ।
ଆସନ୍ତାକାଲି ଭୋଟ୍ ପଡିବ। ଏହି ସମୟରେ ଅଶୁରାଳୀ ଗ୍ରାମପଞ୍ଚାୟତର ସରପଞ୍ଚ ମୀନତି ସାହୁ ଏବଂ ଅନ୍ୟ ବିଜେପି କର୍ମୀ ଭୋଟରଙ୍କୁ ପଦ୍ମ ଫୁଲ ବାଣ୍ଟିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି ବୋଲି ବିଜେଡି କହିଛି।
ସେହିପରି ଭୋଟ୍ ପୂର୍ବରୁ ବୁଥର ୧୦୦ ମିଟର ପୂର୍ବରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଫଟୋ ଟାଙ୍ଗି ଭୋଟରଙ୍କ ଅନୁକମ୍ପା ହାତେଇବାକୁ ପ୍ରୟାସ କରୁଛି ବୋଲି ସୂଚନା ରହିଛି ବୋଲି ବିଜେଡି କହିଛି। ଯାହାଙ୍କ ପୁଅ ହେଉଛନ୍ତି ନିଜେ ଉପନିର୍ବାଚନର ବିଧାୟକ ପ୍ରାର୍ଥୀ।
ତେଣୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ଏପରି ପ୍ରୟାସକୁ ରୋକିବାକୁ ନିବେଦନ କରାଯାଇଛି ବୋଲି ଦଳୀୟ ନେତା କହିଛନ୍ତି। ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛି।
Comments are closed.