Latest Odisha News

ମହିଳା ସଂରକ୍ଷଣ ପାଇଁ ସଂସଦରେ ଦାବି କଲା ବିଜେଡି, ବିରୋଧୀ କହିଲେ କେବଳ ମହିଳା ଭୋଟ୍ ଉଦ୍ଦେଶ୍ୟ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ସ୍ୱତନ୍ତ୍ର ଉଲ୍ଲେଖ ମାଧ୍ୟମରେ ଉଭୟ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦାବିକୁ ଜୋରଦାର କରିଛନ୍ତି। ଯାହାକୁ ନେଇ ଏବେ ବିଜେଡି ସରକାରକୁ ରାଜ୍ୟରେ ଘେରିଛନ୍ତି ବିଜେପି ଓ କଂଗ୍ରେସ।

ମହିଳା କାର୍ଡ ଖେଳିବା ପାଇଁ ଶାସକ ବିଜେଡିର ଆଉ ଏକ ପ୍ରୟାସ ବୋଲି ବିଜେପି କହିଛି। ଯଦି ପାରୁଛି ଶାସକ ଦଳ ପ୍ରଥମେ କ୍ୟାବିନେଟରେ ଏହାକୁ ପାରିତ କରୁ ବୋଲି କହିଛି।

ପୂର୍ବତନ ପିସିସି ସଭାପତି ତଥା ଦଳର ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି, ଯଦି ବିଜେଡି ମହିଳା ସଂରକ୍ଷଣ ବିଲ୍ ପାସ୍ କରିବା ସେମାନଙ୍କର ବଡ଼ ଦାବି ବୋଲି କହୁଛି, ତେବେ ସେମାନେ ବିଜେପିକୁ ମଧ୍ୟ କହିବା ଉଚିତ ଯେ ଯଦି ବିଲ୍ ପାସ୍ ନହୁଏ, ତେବେ ଆମେ ଅନାସ୍ଥା ପ୍ରସ୍ତାବରେ ଆପଣଙ୍କ ସହ ରହିବୁ ନାହିଁ । ବିଜେପି ସରକାର ବିରୋଧରେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବାକୁ ବିଜେଡିକୁ ଏହି ଅବସରରେ ଅପିଲ କରିଛନ୍ତି କଂଗ୍ରେସ ନେତା।

ସେହିପରି ବିଜେପି ନେତ୍ରୀ କହିଛନ୍ତି, ଯେତେବେଳେ ନିର୍ବାଚନ ପାଖେଇ ଆସୁଛି, ବିଜେଡି ସବୁବେଳେ ଭୋଟ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରି ଆସୁଛି। ସେମାନେ ପ୍ରଥମେ ନିଜ ମନ୍ତ୍ରିମଣ୍ଡଳରେ ଏହି ବିଲ୍ ପାସ୍ କରାଇବା ଦରକାର ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।

ଏହାର ଜବାବରେ ବିଜେଡି କହିଛି, ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ମହିଳା ପ୍ରାର୍ଥୀଙ୍କୁ ସଂରକ୍ଷଣ ଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ରେକର୍ଡ ସୃଷ୍ଟି କରିଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ବୋଲି ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ କହିଛନ୍ତି।

ଅନ୍ୟପକ୍ଷରେ ରାଜନୈତିକ ବିଶ୍ଳେଷକଙ୍କ ମତରେ, ଯଦି ୨୦୨୪ରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ପାଇଁ ଯାଉଛି, ତା’ହେଲେ ମୋଟ ୧୪୭ ଆସନରୁ ୪୯ ଜଣ ମହିଳାଙ୍କୁ ଟିକେଟ୍ ଦେବାକୁ ପଡ଼ିବ, ଯାହା ଦଳରେ ଅସନ୍ତୋଷକୁ ଜନ୍ମ ଦେବ। ବିଜେଡି ଯଦି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଏ, ତେବେ ଦଳରେ ବିବାଦ ସୃଷ୍ଟି ହେବ, କାରଣ ଅନେକ ଆଶାୟୀ ନେତା ମହିଳା ପ୍ରାର୍ଥୀଙ୍କ ପାଇଁ ସେମାନଙ୍କ ଆସନ ହରାଇବେ।

Comments are closed.