Latest Odisha News

BREAKING NEWS

ଓଡ଼ିଶାର ଲୋକଙ୍କୁ ସାମନା କରିବାର ନୈତିକ ସାହସ ବିଜେଡିର ନାହିଁ :ମନମୋହନ ସାମଲ

ଭୁବନେଶ୍ବର: ବିଜେଡି ଆତ୍ମବିଶ୍ୱାସ ହରାଇଛି । ଆଜି ଯିଏ ଗୁମାସ୍ତା ସାଜିଛନ୍ତି କହୁଛନ୍ତି ହାରିଲେ ସନ୍ନ୍ୟାସ ନେବେ। ରାଜନୀତିରେ ହାରଜିତ ଏକ ସ୍ବାଭାବିକ ପ୍ରକ୍ରିୟା। ହତାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତି ଦେଉଛନ୍ତି। କିନ୍ତୁ ବିଜେପି ଯାହା ସଂକଳ୍ପ ପତ୍ର ଦେଇଛୁ ତାହା ପୂରଣ କରିବୁ ବୋଲି ଆଜି ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ବିଜୁ ବାବୁ ୫ଥର ନିର୍ବାଚନ ହାରିଥିଲେ  କିନ୍ତୁ ଆଜି ଯିଏ ଗୁମାସ୍ତା ସାଜିଛନ୍ତି ଦଳର ସେ କହୁଛନ୍ତି ନିର୍ବାଚନ ହାରିଲେ ମୁଁ ସନ୍ନ୍ୟାସ ନେବି । ବିଜେଡିରେ ନେତା ନାହାନ୍ତି। ନିଜ ବିଧାୟକ, ମନ୍ତ୍ରୀ ସାଂସଦଙ୍କୁ ବିଜେଡି କେତେବେଳେ ଟ୍ରାଫିକ ଜଗିବା କାମରେ ଟେଣ୍ଟ ବାନ୍ଧିବା କାମରେ ଲଗାଉଛି। ମାତ୍ର ସେମାନେ ଆମକୁ ପଚାରୁଛନ୍ତି ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଗରିବ ଲୋକଙ୍କ ଟିକସ ପଇସା କେଉଁଥିରେ ଖର୍ଚ୍ଚ କଲ ତାହାର ହିସାବ ସେମାନେ ଦେଇ ପାରୁ ନାହାନ୍ତି । ଓଡ଼ିଶାର ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢିବ । ମାତ୍ର ବିଜେଡି ଏଥର ହାରିବ ବୋଲି ତାହାର ନେତାମାନେ ଜାଣି ସାରିଲେଣି। ତେଣୁ ସେମାନେ ବିଦେଶରେ କେତେ ଟଙ୍କା ରଖିଛନ୍ତି କେଉଁ ଜାଗାରେ ରହିବେ ତାହାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ ।

ବିଜେଡି ସରକାରରେ ଗଣତନ୍ତ୍ର ନାହିଁ । ଏହାପରେ ବି ସେମାନେ ଅନ୍ୟ ଉପରକୁ ଆଙ୍ଗୁଠି ଉଠାଉବାକୁ ସାହସ କରୁଛନ୍ତି। କ୍ଷମତା ଚାଲିଯିବ ଜାଣି ସେମାନେ ବିଳିବିଳାଉଛନ୍ତି। ଓଡ଼ିଶା ଲୋକଙ୍କୁ ସାମନା କରିବାର ନୈତିକ ସାହସ ସେମାନଙ୍କ ପାଖରେ ନାହିଁ। ଫଳରେ ସେମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ।ନିଜ ଉପରେ ତାଙ୍କର ଆତ୍ମବିଶ୍ୱାସ କମିଛି, ନୈତିକ ସାହସ କମିଛି। କିନ୍ତୁ ସେମାନେ ହାରିବାକୁ ସ୍ୱୀକାର କରି ପାରୁ ନାହାନ୍ତି  । ନିଜ ଦଳକୁ ବଞ୍ଚାଇବାକୁ  ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ ।ଏଥିସହ ମନମୋହନ ସାମଲ କହିଛନ୍ତି, ଆମ ଦଳରେ ସବୁ ନିଷ୍ପତ୍ତି ବ୍ୟବସ୍ଥିତ ଢଙ୍ଗରେ ନିଆଯାଏ । ଆମ ସହ ସାଢେ ୪ କୋଟି ଓଡିଆ ଅଛନ୍ତି । ଆମକୁ ୫ ବର୍ଷ ଦିଅ ଆମେ ଓଡିଶାକୁ ନମ୍ବର ଓ୍ବାନ କରିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି ତାକୁ ନେଇଁ ଆମେ ନିର୍ବାଚନ ଲଢିବୁ ।

Comments are closed.